Odisha Link
Bridging the Missing Links in Odisha

ପରବର୍ତ୍ତୀ ସମୟରେ ଭାରତ ସହ ବଡ ଧରଣର ବ୍ୟବସାୟିକ ଚୁକ୍ତି : ଟ୍ରମ୍ପ

ଓ୍ୱାଶିଂଟନ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ବଡ଼ ଧରଣର ଟ୍ରେଡ ଡିଲ୍ ହୋଇପାରେ ବୋଲାି ଆଶଙ୍କା କରାଯାଉଛି। ଏହାର ଜବାବରେ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ସହିତ ଟ୍ରେଡ ଡିଲ୍ ହେବ। କେବେ ହେବ ସେ ନେଇ ଟ୍ରମ୍ପ କୌଣସି ସୂଚନା ଦେଇ ନାହାନ୍ତି।

ଏହାବ୍ରତୀତ ଆମେରିକା ସହ ଭାରତର ବ୍ୟବସାୟିକ ସମ୍ପର୍କ ବାବଦରେ ଟ୍ରମ୍ପ ମତ ରଖିଛନ୍ତି। ଭାରତ ଆମେରିକା ସହ ବ୍ୟବସାୟିକ ସମ୍ପର୍କ ଭଲ ରଖିନଥିବା ସେ କହିଛନ୍ତି। ହେଲେ ଏହି ଗସ୍ତ ବେଳେ ବ୍ୟବସାୟିକ ସମ୍ପର୍କର ସୁଧାର ଆସିବ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ଭାରତକୁ ନେଇ ଯଦିଓ ଏଭଳି ମତ ରଖିଛନ୍ତି ଟ୍ରମ୍ପ, ସେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପ୍‌ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି। ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପଙ୍କ ବିମାନ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ୧୦ କିଲୋମିଟର ରୋଡ୍ ଶୋ’ ମାଧ୍ୟମରେ ମୋଦି ଓ ଟ୍ରମ୍ପ ଯିବାର କାର୍ଯ୍ୟକ୍ରମ ରହିଛି। ସାବରମତୀ ଆଶ୍ରମକୁ ମଧ୍ୟ ଏହି ଅବସରରେ ଦୁଇ ଦେଶର ପ୍ରମୁଖ ନେତା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏହାପରେ ‘ନମସ୍ତେ ଟ୍ରମ୍ପ’ ନାମକ କାର୍ଯ୍ୟକ୍ରମରେ ଉଭୟ ଟ୍ରମ୍ପ ଏବଂ ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଗୁଜରାଟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି।

Comments are closed.