Odisha Link
Bridging the Missing Links in Odisha

ମାର୍ଚ୍ଚ ୧୫ରେ ପ୍ରତି ଜିଲ୍ଲାରେ ପେନ୍‌ସନ ଅଦାଲତ ହେବ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରତି ଜିଲ୍ଲାମାନଙ୍କରେ ବକେୟା ପେନ୍‌ସନ ମାମଲାର ଆଶୁ ଫଏସଲା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପେନ୍‌ସନ ଅଦାଲତ ଚଳିତ ମାର୍ଚ୍ଚ ମାସ ୧୫ ତାରିଖ(ରବିବାର) ଦିନ ଅନୁଷ୍ଠିତ ହେବ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ମର୍ମରେ ଏକ ପତ୍ର ଲେଖି ଜଣାଇ ଦିଆଯାଇଛି ଯେ, ବକେୟା ପେନ୍‌ସନ ମାମଲାର ଶୁଣାଣି ଓ ଫଏସଲା କରିବା ପାଇଁ ଏହି ପେନ୍‌ସନ ଅଦାଲତ କରାଯାଇଛି ।

ଯାହାଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ, କର୍ମଚାରୀମାନଙ୍କ ବକେୟା ପେନ୍‌ସନ ମାମଲା ଶୀଘ୍ର ଫଏସଲା ହୋଇ ପାରିବ । ସମୀକ୍ଷାରୁ ଜଣାଯାଇଛି ଶିକ୍ଷକ ଓ ଷ୍ଟାଫ୍‌ମାନଙ୍କର ଅବସରକାଳୀନ ତଥ୍ୟ ଠିକ୍‌ ଭାବରେ ପଞ୍ଜିକୃତ ନ ହେବା ସହିତ ପେନ୍‌ସନ କାଗଜ ପତ୍ର ଠିକ୍‌ ସମୟରେ କାର୍ଯ୍ୟାଳୟରେ ଦାଖଲ କରାଯାଇ ନାହିଁ ।

କେତେକ କ୍ଷେତ୍ରରେ ଭିଜିଲାନ୍‌ସ ଏବଂ ଅନ୍ୟାନ୍ୟ କୋର୍ଟ କଚେରୀ, ମକଦ୍ଦମା, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହୋଇ ନଥିବା ଏବଂ ଏହା ସହିତ କେତେକ କ୍ଷେତ୍ରରେ ଏନ୍‌ଡିସି, ସର୍ଭିସ୍‌ବୁକ୍‌, ଉତ୍ତରାଧିକାରୀ ସାର୍ଟିଫିକେଟ ଆଦି ଦାଖଲ ହୋଇ ନଥିବାରୁ ପେନ୍‌ସନ ଦେବାରେ ବିଳମ୍ବ ଘଟୁଛି । ବିଭାଗୀୟ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.