ରାଜ୍ୟସଭା: ସିନ୍ଧିଆଙ୍କୁ ଟିକେଟ ଦେଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଘଣ୍ଟାଏ ନପୂରୁଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁରସ୍କାର ଦେଲା ବିଜେପି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ। ବିଜେପି ଓ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଦେଖିଲେ ଉଭୟ ଗୋଟିଏ ଲେଖାଏଁ ଆସନ ଜିତିବା ସ୍ପଷ୍ଟ। ହେଲେ ତୃତୀୟ ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଛକାପଞ୍ଝା ରହିବ।
ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ହା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ।