ବିଦେଶ ଯାଇଥିଲେ କି? ଏହି ଓ୍ବେବ୍ସାଇଟ୍ ଓ ଫୋନ୍ରେ କରିବେ କରୋନା ପଞ୍ଜିକରଣ

ଭୁବନେଶ୍ବର: ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିମାନଙ୍କ ଲାଗି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଓ୍ବେବ୍ସାଇଟ୍ ଓ ଫୋନ୍ ନମ୍ବର ଜାରି କରିଛନ୍ତି। ଏଥିରେ ନିଜ ନାମ ପଞ୍ଜିକରଣ କରିବା ସହ ୧୪ ଦିନ ଯାଏଁ ସଙ୍ଗହୀନ (ଖ୍ବାରାଣ୍ଟିନ୍) ରହିବାକୁ ଅନୁରୋଧ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓ୍ବେବ୍ସାଇଟ୍ ବା ଫୋନ୍ ଯୋଗେ ନିଜ ନାମ ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି।
ଓଡ଼ିଶା ସରକାରଙ୍କ https://covid19.odisha.gov.in/ ପୋର୍ଟାଲ୍କୁ ଯାଇ ବିଦେଶାଗତ ବ୍ୟକ୍ତିମାନେ ନିଜେ ଏକ ଫର୍ମ ପୂରଣ କରି ନିଜର ନାମ ତାଲିକାଭୁକ୍ତ କରିପାରିବେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ଓ୍ବେବ୍ସାଇଟ୍ ଉପଲବ୍ଧ। ତେବେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନ ଥିଲେ ସିଧାସଳଖ ୧୦୪ ନମ୍ବରରେ ମଧ୍ୟ ଫୋନ୍ କରି ସରକାରଙ୍କ କଲ୍ ସେଣ୍ଟର ମାଧ୍ୟମରେ ନିଜର ନାମ ପଞ୍ଜିକୃତ କରିହେବ।
ଏଯାବତ୍ ୧୩୦୦ରୁ ଅଧିକ ବ୍ୟକ୍ତି ବିଦେଶରୁ ଫେରି ଏଥିରେ ନିଜ ନାମ ତାଲିକାଭୁକ୍ତ କରିସାରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟା ଓ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।
ଅଧିକ ସୂଚନା ପାଇଁ ସରକାରଙ୍କ ବିଜ୍ଞପ୍ତିଟି ଏହିଠାରେ ପଢ଼ନ୍ତୁ।
https://covid19.odisha.gov.in/public/img/website/COVID19-Notice-Govt-Odisha.pdf