ଆଜି ଶକ୍ତି ପରୀକ୍ଷା, ଅଡ଼ୁଆରେ କମଲ ସରକାର
ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଲାଗି ରହିଛି। ଏହାରି ମଧ୍ୟରେ ଆଜି ମଧ୍ୟପ୍ରଦେଶ ବିଧାନସଭାରେ ବହୁମତ ପ୍ରମାଣ କରିବେ ମୁଖ୍ୟମନ୍ତ୍ରୀ କମଳନାଥ। ସୁପ୍ରିମକୋର୍ଟ ଏନେଇ ଗୁରୁବାର କମଳନାଥଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
କମଳନାଥଙ୍କ ଫ୍ଲୋର୍ ଟେଷ୍ଟ କରାଇବା ପାଇଁ ବିଜେପି ନେତା ଶିବରାଜ ସିଂହ ଚୌହାନ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଗୁରୁବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। କୋର୍ଟ କହିଛନ୍ତି ଯେ, ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର ଦିନ ହିଁ ଆସ୍ଥା ଭୋଟ ହେବ। ଏବଂ ଆସ୍ଥା ଭୋଟ ସନ୍ଧ୍ୟା ୫ଟା ପୂର୍ବରୁ ଶେଷ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇସ୍ତଫା ଦେଇଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ, ତେବେ ବିଦ୍ରୋହୀ ବିଧାୟକଙ୍କୁ ସମସ୍ତ ପ୍ରକାର ସୁରକ୍ଷା କର୍ଣ୍ଣାଟକ ଡିଜିପି ଯୋଗାଇଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଗତକାଲି ଶୁଣାଣି ବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗୃହରେ ହାତ ଉଠାଇ ଭୋଟିଂ କରାଯିବ। ଆସ୍ଥା ଭୋଟ୍ ବେଳର ଭିଡିଓ ରେକର୍ଡିଂ ସାଙ୍ଗକୁ ଟିଭିରେ ସିଧା ପ୍ରସାରଣ ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ସମୟରେ ଆଇନ ଓ ଶୃଙ୍ଖଳା ଠିକ୍ ରଖିବାକୁ କୁହାଯାଇଛି। ଏହାପୂର୍ବରୁ କଂଗ୍ରେସ ପକ୍ଷରୁ ଓକିଲ କପିଲ ସିବଲ ଓ ଅଭିଷକ ମନୁ ସିଘଂଭୀ ଆସ୍ଥା ଭୋଟ ନକରିବାକୁ ଦାବି କରିଥିଲେ।
ମଧ୍ୟପ୍ରଦେଶରେ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଛି। ବର୍ତ୍ତମାନ ଗୃହରେ ସରକାର ଗଠନ କରିବା ପାଇଁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଏପରି ପରିସ୍ଥିତିରେ କଂଗ୍ରେସ ପାଖରେ କେବଳ ୯୨ ବିଧାୟକ ରହିଛନ୍ତି। ବିଜେପି ପାଖରେ କିନ୍ତୁ ୧୦୭ ଜଣ ବିଧାୟକ ଅଛନ୍ତି। ତେଣୁ ମଧ୍ୟପ୍ରଦେଶରେ ବିଜେପି ପୁଣି ସରକାରକୁ ଫେରିବ ବୋଲି ଚର୍ଚ୍ଚା ହେଉଛି।
Comments are closed.