Odisha Link
Bridging the Missing Links in Odisha

ଫାଶୀ ପାଇଲେ ନିର୍ଭୟା ଦୋଷୀ: ନିର୍ଭୟାଙ୍କ ମା, ବାପା କହିଲେ ଏଭଳି କଥା

ନୂଆଦିଲ୍ଲୀ:  ଆଜି ଅନ୍ତ ହେଲା ବହୁ ଚର୍ଚ୍ଚିତ ନିର୍ଭୟା ମାମଲା। ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ। ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର। ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀ ଖୁଣ୍ଟରେ ଝୁଲାଯାଇଛିି। ସକାଳ ୫ଟା ୩୦ ମିନିଟରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି।

୪ ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ପରେ ‘ନିର୍ଭୟା’ଙ୍କ ମା’ ଆଶା ଦେବୀ କହିଛନ୍ତି ଯେ, ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶଂସା କରିଥିଲେ। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ କିଛି ଛିଦ୍ର ଥିବା ଏହି ମାମଲା ଦ୍ୱାରା ଜଣାପଡ଼ିଛି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ। ସେ ତାଙ୍କ ଝିଅକୁ ନେଇ ଗର୍ବ କରନ୍ତି। ସେ ତାଙ୍କୁ ବଞ୍ଚାଇ ପାରିଲେନି। କିନ୍ତୁ ଖୁସି ଅଛନ୍ତି ଯେ ତାଙ୍କୁ ନ୍ୟାୟ ଦେଇ ପାରିଛନ୍ତି। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ନିର୍ଭୟା’ ଦିବସ ଭାବେ ପାଳନ କରାଯାଉ।

ସେହିଭଳି ‘ନିର୍ଭୟା’ଙ୍କ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି, ନ୍ୟାୟ ପାଇବା ପାଇଁ ବହୁତ ଦୌଡ଼ିଥିଲେ। ଆଉ ଶେଷରେ ନ୍ୟାୟ ପାଇଛନ୍ତି। ଏହା ପ୍ରତିଟି ମହିଳାଙ୍କ ବିଜୟ। ଲୋକେ ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ କରିବା ଅନୁଚିତ୍।

‘ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ କହିଛନ୍ତି, ଏପରି ଜଘନ୍ୟ ଅପରାଧ ଅତି ବିରଳରୁ ବିରଳତମ ଥିଲା। ଏପରି ଅପରାଧ ପଶୁ ବି କରିପାରନ୍ତି ନାହିଁ। ନିର୍ଭୟା ବଞ୍ଚିଥିଲେ ହୁଏତ ଖୁସି ହୋଇଥା’ନ୍ତି। ମାତ୍ର ଶେଷରେ ନ୍ୟାୟ ମିଳିଛି। ତେବେ ନିର୍ଭୟାଙ୍କ ପରେ ଅନେକ ପୀଡ଼ିତ ନ୍ୟାୟ ଅପେକ୍ଷାରେ ଅଛନ୍ତି।

Comments are closed.