ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ଜିଲ୍ଲା ଓ ୮ ସହରରେ ୭ ଦିନ ଲକ୍ଡାଉନ୍, ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟରେ ଥିବା କଟକଣା ବଳବତ୍ତର ରହିବା ସହ ଆସନ୍ତାକାଲି ଠାରୁ ୭ ଦିନ ଯାଏଁ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଚେତାବନୀ ଦିଆଯାଇଛି।
ଆଗାମୀ ସପ୍ତାହ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (Near Total ) Lock Down କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଲକ୍ଡାଉନ୍ ସମୟରେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ସେ ଭିଡିଓରେ ବାର୍ତ୍ତା ଦେଇଛନ୍ତି।
ତେବେ ଏହି Lock Down ସମୟରେ କେବଳ ଟ୍ରେନ୍ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର wholesale market ମଧ୍ୟ ଖୋଲା ରହିବ। ସେହିପରି ଏ ସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ATM, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ODRAF, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ।
ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.