Odisha Link
Bridging the Missing Links in Odisha

୧୦ ଜମାତ୍‌ ସଦସ୍ୟଙ୍କୁ ଶରଣ ଦେଇ କରୋନାରେ ପ୍ରାଣ ହରାଇଲେ

ମୁମ୍ବାଇ: ଏପ୍ରିଲ ୧ ତାରିଖ ଦିନ ଏଠାରେ ଥିବା ଏସିଆର ସର୍ବବୃହତ୍ତ ବସ୍ତି ଧରାବିରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିଲା। ୫୬ ବର୍ଷ ବୟସ୍କ ମୃତକ ଜଣଙ୍କ ସଂସ୍ପର୍ଶ ଇତିହାସ ଜାଣି ଅବାକ ହୋଇଛି ମୁମ୍ବାଇ ପୁଲିସ। ଅନୁସନ୍ଧାନ ବେଳେ ଜଣାପଡ଼ିଛି ଯେ ନିଜାମୁଦ୍ଦିନ୍‌ ତାବ୍‌ଲିଘି ଜମାତ୍‌ ମର୍କାଜ ଯୋଗଦେଇ ଫେରିଥିବା ୧୦ ଜଣ ଇସ୍‌ଲାମ୍ ଶ୍ରଦ୍ଧାଳୁ ଏହି ବ୍ୟକ୍ତିଙ୍କ ଘରେ ଏପ୍ରିଲ ୨୨ରୁ ୨୪ ମଧ୍ୟରେ ରହିଥିଲେ।

ମୃତକ ଜଣକ କପଡ଼ା ବ୍ୟବସାୟ କରୁଥିବା ବେଳେ ତାଙ୍କର ବସ୍ତି ଭିତରେ ଦୁଇଟି ଘର ଥିଲା। ଗୋଟିକରେ ସେ ରହୁଥିବା ବେଳେ ଅନ୍ୟଟି ଖାଲି ଥିଲା। ଜମାତୀମାନେ ଦିଲ୍ଲୀରୁ ଫେରିବା ବେଳେ ସେହି ଖାଲି ଘରେ ରହିଥିଲେ। ସେମାନେ ଘର ଛାଡ଼ି ଯିବା ପୂର୍ବରୁ ୪ ଜଣ ମୃତକଙ୍କ ଭେଟିବାକୁ ଆସିଥିଲେ ଓ ସେହିହେତୁ ସଂକ୍ରମଣ ହୋଇଛି ବୋଲି ଜଣାପଡ଼ିଛି।

ପରେ ୧୦ ଜଣ ଜମାତୀ କେରଳ ଯାଇଥିବା ସୂଚନା ମିଳିଛି।

ଧରାବୀରେ ଜଣେ ଯୁବ ଡାକ୍ତରଙ୍କ ସମେତ ଏଯାବତ୍‌ ୩ ଜଣଙ୍କ ଦେହରେ କରୋନା ପଜିଟିଭ୍‌ ମିଳିଛି। ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୧୫ ଜଣଙ୍କର ଟେଷ୍ଟ୍‌ ରିପୋର୍ଟ ଏଯାଏଁ ମିଳିନାହିଁ। କେରଳ ଯାଇଥିବା ଜମାତ୍‌ ସଦସ୍ୟମାନଙ୍କ ସଂଧାନ ପାଇଁ ଉଦ୍ୟମ ଚାଲିଛି।

ଏଯାଏଁ ୧୪ଟି ରାଜ୍ୟରେ ୬୫୦ ଜଣ ତାବ୍‌ଲିଘି ଜମାତ୍‌ ମର୍କାଜ୍‌ ଅଂଶଗ୍ରହଣକାରୀ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ଓଡ଼ିଶାରୁ ୮୬ ଜଣ ଦିଲ୍ଲୀର ଏହି ଧର୍ମ ସଭାରେ ଭାଗ ନେଇଥିବା କୁହାଯାଉଥିବା ବେଳେ ରାଜ୍ୟରେ ୨୮ ଜଣ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି।

Comments are closed.