Odisha Link
Bridging the Missing Links in Odisha

ଏପ୍ରିଲ୍ ୧୫ରୁ ସେବା ଆରମ୍ଭ କରିବାକୁ ରେଳବାଇ ପ୍ରସ୍ତୁତ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ ଯାଏ ଚାଲୁ ରହିବ। ଏପ୍ରିଲ ୧୪ ପରେ ଅର୍ଥାତ ୧୫ ତାରିଖରୁ ରେଲୱେ ତାହାର ସେବା ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଏଥିପାଇଁ ରେଲୱେ ପକ୍ଷରୁ ଏହାର ସମସ୍ତ ସୁରକ୍ଷାକର୍ମୀ, କର୍ମଚାରୀ, ଗାର୍ଡ, ଟିଟିଇ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଏପ୍ରିଲ ୧୫ରୁ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ହେଲେ ସରକାର ଅନୁମତି ଦେଲା ପରେ ହିଁ ଟ୍ରେନ ଚଳାଚଳ ଆରମ୍ଭ ହେବ। ସରକାର ଏହି ପ୍ରସଙ୍ଗରେ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଛନ୍ତି। ତେବେ ଏହା ମଧ୍ୟରେ ରେଲୱେ ଟ୍ରେନ ଗୁଡ଼ିକ ଚଳାଚଳ କରିବାର ସମୟ, ଯାତ୍ରା, ବଗିଗୁଡ଼ିକର ଉପଲବ୍ଧତା ସହିତ ସମସ୍ତ ରେଳ ଜୋନଗୁଡ଼ିକରେ ସେବା ଆରମ୍ଭ କରିବାର ଯୋଜନା ଜାରି କରିଛି। ରେଲୱେ ପକ୍ଷରୁ ସମସ୍ତ ୧୭ଟି ଜୋନକୁ ନିଜ ନିଜ ସେବା ପରିଚାଳନା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ୧୫ ଏପ୍ରିଲରୁ ପାଖାପାଖି ୮୦ ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚଳାଚଳ କରିବାର ସମ୍ଭାବନା ରହିଛି।

ରେଲୱେ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ସରକାରଙ୍କ ପରାମର୍ଶ ଅନୁସାରେ ସବୁ ପ୍ରୋଟୋକଲର ପାଳନ କରାଯିବ। ତେବେ ରେଳଓ୍ବେର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କୌଣସି ନୂଆ ନିର୍ଦେଶନାମା ଜାରି ହୋଇନାହିଁ। ଟ୍ରେନ ସେବା କେବଳ ୧୪ ଏପ୍ରିଲ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ଏଥିପାଇଁ ସେହିଦିନ ପର୍ଯ୍ୟନ୍ତ ସେବା ବନ୍ଦ ରହିବ। ପୁଣି ଥରେ ସେବା ଆରମ୍ଭ କରିବା ଲାଗି କୌଣସି ନୂଆ ଆଦେଶନାମାର ଆବଶ୍ୟକତା ନାହିଁ।

Comments are closed.