Odisha Link
Bridging the Missing Links in Odisha

କରୋନା ଲଢ଼େଇ ବାଟବଣା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଆ ଲେଖକ

ଭୁବନେଶ୍ବର: ଗୋଟିଏ ପଟେ ଦେଶ ଏକାଠି କରୋନା ମହାମାରୀର ମୁକାବିଲା କରୁଥିବା ବେଳେ କିଛି ବ୍ୟକ୍ତି ଭୁଲ ବିଚାରଧାରାର ବଶବର୍ତ୍ତୀ ହୋଇ କରୋନା କଟକଣାର ଉଲ୍ଲଂଗନ କରୁଛନ୍ତି। ସରକାରଙ୍କର ପରାମର୍ଶ, ତାଗିଦା ଅମାନ୍ୟ କରି ଏକତା ଆଳରେ ବିପଦ ଡାକି ଆଣୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଏକତା ଆହ୍ବାନକୁ ବାଟବଣା କରାଇ ଅଘଟଣା ଘଟାଉଛନ୍ତି ଜନତା। ଏଭଳି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ କିଛି ନିବେଦନ ରଖି ଏକ ଦୀର୍ଘ ଚିଠି ଲେଖିଛନ୍ତି ଓଡ଼ିଆ ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା।

ଗତକାଲି ରାତିରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଶ୍ରୀ ପଣ୍ଡାଙ୍କ ସମେତ କୋଟି କୋଟି ଦେଶବାସୀ ଉଦ୍‌ବୁଦ୍ଧ ହୋଇ ୯ ମିନିଟ୍‌ ପାଇଁ ଘରର ଆଲୋକ ବନ୍ଦ ରଖିଥିଲେ ଓ ବାହାରେ ଦୀପ ଜାଳିଥିଲେ। ତେବେ ବହୁ ସଂଖ୍ୟାରେ ଅମାନିଆ ବ୍ୟକ୍ତି ରାସ୍ତାକୁ ଓହ୍ଲାଇ ନିଆଁହୁଳା ଧରି ଶୋଭାଯାତ୍ରା କରିବା, କରୋନାର ପୁତ୍ତଳିକା ଦାହ କରିବା ଭଳି ବେଆଇନ କାମ କରିବାର ଦେଖିବାକୁ ମିଳିଥିଲା। ଏହା ସାମାଜିକ ଦୂରତ୍ବ କଟକଣା ଭ‌ଙ୍ଗ କରିବା ସହ ଅନେକ ସ୍ଥାନରେ ଅଗ୍ନିସଂଚାର ହୋଇ ଅଘଟଣା ଘଟାଇଥିଲା।

ଏ ପରିପ୍ରେକ୍ଷୀରେ ଲେଖକ ଶ୍ରୀ ପଣ୍ଡାଙ୍କ ବିନୟ ଚିଠିଟି ବେଶ୍‌ ପ୍ରାସଙ୍ଗିକତା ରଖେ। ମାର୍ଚ୍ଚ ୨୨ ତାରିଖରେ ତାଳି-ଥାଳି ବଜାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ବେଳେ ଅନୁରୂପ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଗୋଟିଏ କଥା କହିବା ବେଳକୁ ଅମାନିଆ ଦେଶବାସୀ ଏହାକୁ ନିଜକୁ ସୁହାଇବା ଢଙ୍ଗରେ ବୁଝୁଛନ୍ତି ଓ ସେହିଭଳି କିଛି କାର୍ଯ୍ୟ କରୁଛନ୍ତି ଯାହା ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରୁଛି। ଦେଶର ଏକତା ପ୍ରଦର୍ଶନ ପାଇଁ ଦୁଇ ଥର ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇ ସାରିଥିବା ବେଳେ ଭବିଷ୍ୟତରେ ଆଉ ଏଭଳି କରି ଆମର ଏକତାର ପରୀକ୍ଷା ନିଅନ୍ତୁନାହିଁ ବୋଲି ଶ୍ରୀ ପଣ୍ଡା ଚିଠିରେ ଅନୁରୋଧ କରିଛନ୍ତି। ଆପଣ କରୋନା ପ୍ରତିହତ ପାଇଁ ଲାଗନ୍ତୁ ଓ ସାରା ଦେଶବାସୀ ଆପଣଙ୍କ ସହ ଅଛନ୍ତି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। ଏ ଲଢ଼େଇରେ ମୃତ୍ୟୁ ସଂଖ୍ୟା କମ ହେବା ସହ ଅଳ୍ପଦିନ ଭିତରେ ସଫଳତମ ବିଜୟ ହେଲେ, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ ଲୋଡ଼ାହେବ ନାହିଁ, ବରଂ ସେମାନେ ଆପେ ଆପେ ତାଳି-ଥାଳି ବାଡ଼େଇ ଦୀପ ଜଳେଇ ପ୍ରଧାନମନ୍ତ୍ରୀ, ସରକାର ଓ ସେବା ଯୋଗାଉଥିବା କର୍ମଚାରୀଙ୍କ ପ୍ରତି ସ୍ବତଃ ଧନ୍ୟବାଦ ଜ୍ଞାପନ କରିବେ ବୋଲି ଶ୍ରୀ ପଣ୍ଡା ଲେଖିଛନ୍ତି।

ଚିଠିରେ ପ୍ରଧାନମନ୍ତ୍ରୀଙ୍କର କିଛି ପଦକ୍ଷେପକୁ ପ୍ରଶାଂସା କରିବା ସହ ଆଉ କିଛି ନୂଆ ପଦକ୍ଷେପ ପାଇଁ ପରାମର୍ଶ ରଖିଛନ୍ତି ଶ୍ରୀ ପଣ୍ଡା। ଇଂରାଜୀରେ ଲିଖିତ ତିନି ପୃଷ୍ଠାର ଚିଠିିଟିର ଓଡ଼ିଆ ପ୍ରତିରୂପ ଆପଣ ଏଇଠି ପଢ଼ିପାରିବେ। ଚିଠିଟି ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀଙ୍କୁ ଆଜି ପ୍ରତ୍ୟୁଷରୁ ମେଲ୍‌ ଯୋଗେ ପଠାଇଥିବା ବେଳେ ଟ୍ବିଟ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଯୋଡ଼ିଛନ୍ତି।

୬ ଏପ୍ରିଲ ୨୦୨୦, ସୋମବାର

ସମ୍ମାନାସ୍ପଦ ଶ୍ରୀ ନରେନ୍ଦ୍ର ମୋଦି, ଭାରତର ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୂଆଦିଲ୍ଲୀ

ପ୍ରିୟ ପ୍ରଧାନମନ୍ତ୍ରୀ,
ଯଦି ଆପଣ ମୋ ଚିଠିଟି ପଢ଼ୁଥାଆନ୍ତି, ତେବେ ଏଥିପାଇଁ ଆପଣଙ୍କୁ ମୁଁ ଆଗେ ଧନ୍ୟବାଦ ଜଣାଏ। ଏ ଅବସରରେ, ଯେତେବେଳେ ସାରା ଦେଶ କୋଭିଡ୍-୧୯ ସହ ଳଢ଼େଇ କରୁଛି, ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ମିନିଟ୍‌ ନେଉଥିବାରୁ କ୍ଷମା ଚାହୁଛି।

୩୭୦ ଧାରା ଉଚ୍ଛେଦ, ତିନିତଲାକ୍‌କୁ ବେଆଇନ ଘୋଷଣା ଭଳି ଅତୀତରେ ଆପଣ ନେଇଥିବା କିଛି ପଦକ୍ଷେପ ପାଇଁ ଏ ଅବସରରେ ମୁଁ ଆପଣଙ୍କୁ ପ୍ରଶଂସା କରିବାର ସୁଯୋଗ ପାଇଛି। ସେଦିନକୁ ମୁଁ ଅପେକ୍ଷା କରିଛି ଯେଉଁଦିନ ଆପଣ ଦେଶରୁ ଜାତିପ୍ରଥାକୁ ସମ୍ପୂର୍ଣ୍ଣ ଉଠାଇଦେବେ ଓ ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ବୋଲି ଘୋଷଣା କରିବେ। ଆମର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ଆବଶ୍ୟକ। ଆପଣ ଦେଖୁଛନ୍ତି, ତଥାକଥିତ ଶିକ୍ଷିତସମାଜ ବି ଆପଣଙ୍କୁ ଅନେକ ଥର ଭୁଲ ବୁଝୁଛି।

ମୁଁ ଓଡ଼ିଶାର ଜଣେ ଲେଖକ ଓ ସାମ୍ବାଦିକ। ତେବେ ଏ ଚିଠିଟି ମୁଁ ଯେକୌଣସି ଜଣେ ସାଧାରଣ ଅଜ୍ଞାତ ଭାରତୀୟ ଭାବେ ଲେଖୁଛି। ଆପଣଙ୍କୁ କହିରଖେ, ମୁଁ ଦେଶର ଏକ ବଡ଼ ଜନସଂଖ୍ୟାର ଅଂଶ ଯେଉଁମାନେ ଏଯାଏଁ ଅନ୍ଧ ସମର୍ଥକ କିମ୍ବା ଅନ୍ଧ ସମାଲୋଚକଙ୍କ ଗୋଷ୍ଠୀରେ ସାମିଲ ହୋଇନାହାନ୍ତି। ସାମାଜିକ ଗଣମାଧ୍ୟମ ଏମାନଙ୍କୁ ଅନ୍ଧଭକ୍ତ ଓ ଅନ୍ଧସମାଲୋଚକ ଭାବେ ଜାଣେ। ଏମାନେ ଏବେ ସବୁ ଦଳରେ ଅଛନ୍ତି। ସୌଭାଗ୍ୟକୁ ମୁଁ ଏହି ଦୁଇ ଗୋଷ୍ଠୀରେ ନାହିଁ।

କରୋନା ଭୂତାଣୁ ଲଢ଼େଇ ପ୍ରତି ଆମ ଏକତାର ନିଦର୍ଶନ ପାଇଁ ଗତକାଲି ଆପଣ ଦେଶବ୍ୟାପୀ ୯ ମିନିଟ୍‌ ଅନ୍ଧାର କରିବା ପାଇଁ ଆହ୍ବାନ ଦେଇଥିଲେ। କିଛି ଲୋକ ଆପଣଙ୍କ ଆହ୍ବାନକୁ ମହାଜାଗତିକ ସଂଖ୍ୟାଗଣନା ଓ ଭାଗ୍ୟ ଗଣନା ସହ ଯୋଡ଼ି ମିଥ୍ୟା ତଥ୍ୟ ପ୍ରଚାରରେ ମାତିଗଲେ। ଆଉ ଥୋକେ ଆପଣଙ୍କ ଉପରକୁ ପଙ୍କ ଫିଙ୍ଗିବା ଆରମ୍ଭ କଲେ, ସତେ ଯେମିତି ଆପଣ ସେମାନଙ୍କୁ ଦୀପଜାଳିବା ପାଇଁ ବାଧ୍ୟ କରୁଛନ୍ତି।

ମୁଁ ଆପଣଙ୍କ ଆହ୍ବାନ ଗ୍ରହଣ କରି ମୋ ପରିବାର ସହ ଯୋଗ ଦେଇଥିଲି। ଆମେ କାଲି ରାତି ୯ଟାରେ ଘରର ସବୁ ଆଲୁଅ ବନ୍ଦ କରି ବାଲକୋନୀରେ ମହମବତୀ ଓ ମାଟି ଦୀପ ଜଳାଇଥିଲୁ। ଆମ ପାଖପଡ଼ିଶାରେ ଅନ୍ୟ ପରିବାରମାନେ ବି ବେଶ୍‌ ଶ୍ରଦ୍ଧା ଆଉ ଆବେଗର ସହ ଏଥିରେ ଭାଗନେବାର ଦେଖାଯାଇଥିଲା। ଏ ସମୟରେ ମୋ ପତ୍ନୀ କିଛି ମନ୍ତ୍ର ପଢ଼ିଥିଲେ, ମୋର ପିଲାମାନେ ପଡ଼ୋଶୀଙ୍କ ସହ ବଡ଼ପାଟିରେ ଗପ ମାରିଥିଲେ। ମୋ ବୋଉ ଏହି କାମଟିକୁ ଏକ ଧର୍ମକାମ ବୋଲି ଧରି ନେଇଥିଲେ ଓ ସଂଧ୍ୟାରୁ ସବୁ କିଛି ଯୋଗାଡ଼ଯନ୍ତ୍ର କରି ରଖିଥିଲେ। ସେ ଆମମାନଙ୍କୁ ଠିକ ୯ଟାରେ ଏକାଠି ହେବାକୁ ଆଗୁଆ ତାଗିଦ୍‌ କଲାବେଳେ କହିଥିଲେ ଯେ- ମୋଦି ପରା ବାରମ୍ବାର କହିଛନ୍ତି। (ପ୍ରକୃତରେ ଟିଭିରେ ଆପଣଙ୍କର ଭିଡିଓଟି ବାରମ୍ବାର ବାଜିଥିଲା)

ଅନେକେ ବିଦ୍ୟୁତ୍‌ ଗ୍ରୀଡ୍‌କୁ ନେଇ ନକାରାତ୍ମକ ଚିନ୍ତା କରିଥିଲେ, ଏହି ସମୟରେ ଦେଶର ଶକ୍ତି ଖର୍ଚ୍ଚ ହଠାତ କମିଯିବାରୁ ଫ୍ରିକ୍ବେନ୍ସି ଓ ଭୋଲଟେଜ୍‌ରେ ବିଭ୍ରାଟ ହୋଇ ଗ୍ରୀଡ୍‌ରେ ସଂକଟ ଦେଖା ଦେଇପାରେ ବୋଲି ଆଶଂକା କରିଥିଲେ। ଶକ୍ତି ମନ୍ତ୍ରାଳୟ ଆଗକୁ ଆସି କହିଥିଲା, ଆମର ଅଧିକାରୀମାନେ ଗ୍ରୀଡ୍-ସଂକ୍ରାନ୍ତୀୟ ଅସୁବିଧା ନହେବା ଲାଗି ଦାୟିତ୍ବରେ ଲାଗିଛନ୍ତି, କିଛି ଅସୁବିଧା ହେବନାହିଁ। ସେଇ ୯ ମିନିଟ୍‌ ନିଜେ ଶକ୍ତିମନ୍ତ୍ରୀ ଅଧିକାରୀମାନଙ୍କ ସହ ବସି ଗ୍ରୀଡ୍‌ ସ୍ଥିତି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଥିଲା। ପରେ ସେ ଗର୍ବର ସହ ଘୋଷଣା କରିଥିଲେ ଯେ- କୌଣସି ବିଭ୍ରାଟ ହୋଇନାହିଁ, ଭୋଲଟେଜ୍‌ ଓ ଫ୍ରିକ୍ବେନ୍ସିରେ କିଛି ପରିବର୍ତ୍ତନ ଘଟିନି।

ଆଜ୍ଞା, ଏଇଠି ମୋ ମୁଣ୍ଡକୁ ଗୋଟେ ପ୍ରଶ୍ନ ଢୁକୁଛି। ସବୁ ରାତିରେ ଯେତେବେଳେ ସାରା ଦେଶବାସୀ ଆଲୁଅ ବନ୍ଦ କରି ଶୋଉଛନ୍ତି, ସେତେବେଳେ ବିଦ୍ୟୁତ ଯୋଗାଣର ଭୋଲଟେଜ୍‌ ଓ ଫ୍ରିକ୍ବେନ୍ସି ପରଖିବା ପାଇଁ ଶକ୍ତି ମନ୍ତ୍ରାଳୟ ଏଭଳି ତତ୍‌ପରତା ଦେଖାଉଛି କି, ମନ୍ତ୍ରୀ ସବୁ ରାତିରେ ଏଭଳି ଅଧିକାରୀଙ୍କ ସହ ବସୁଛନ୍ତି କି? ଗୋଟିଏ ଗବେଷଣା ଅନୁସାରେ ଭାରତବାସୀ ହାରାହାରି ୭ ଘଣ୍ଟା ଶୋଇଥାଆନ୍ତି। ଗବେଷଣା ଆହୁରି ମଧ୍ୟ କହୁଛି ସେମାନେ ରାତି ୧୧ଟା ୨୨ରୁ ୧୨ଟା ୩୩ ମଧ୍ୟରେ ଶଯ୍ୟାକୁ ଯାଇଥାଆନ୍ତି।

ଯାହା ବି ହେଉ, ମାନବିକତା ବିରୋଧରେ କୌଣସି ବଡ଼ ଅପରାଧ ହେଲେ ବା କୌଣସି ସମର୍ଥନ ଅଥବା ବିକ୍ଷୋଭ ଶୋଭାଯାତ୍ରା ବେଳେ ଆଗରୁ ମୁଁ ଯେମିତି ଦୀପ ଧରି ସାମିଲ ହୋଇଥିଲି, କାଲି ମଧ୍ୟ ଆପଣଙ୍କ ଆହ୍ବାନରେ ଏହି ଏକତା ପ୍ରଦର୍ଶନରେ ସାମିଲ ହୋଇଥିଲି। ତେବେ ଆଜ୍ଞା, କାଲି ରାତିରେ ଆଲୁଅ ବନ୍ଦ କରି ଦୀପ ଜଳେଇ ଆମକୁ କ’ଣ ମିଳିଲା ମୁଁ ହିସାବ କରିନି। କିନ୍ତୁ ଏହା ଜାଣିଛି, ଆମେ ବହୁତ କିଛି ହରାଇଛେ। କରୋନାର ନିଆଁକୁ ଆୟତ୍ତ କରିବାରେ ଦିନରାତି ଲଗାଇ ଦେଇଥିବା ପ୍ରଶାସନକୁ କାଲି ଦେଶର ବିଭିନ୍ନ ସ୍ଥାନରେ ସତସତିକ ନିଆଁ ଲିଭାଇବାର ଦେଖିବାକୁ ମିଳିଥିଲା। ୨୨ ମାର୍ଚ୍ଚ ଭଳି କାଲି ମଧ୍ୟ ହଜାର ହଜାର ଲୋକ ରାସ୍ତାରେ ମହମବତୀ ବା ମଶାଲ ଧରି ‘ଗୋ କରୋନା ଗୋ’ ବା ସେଇ ଜାତୀୟ ନାରା ଦେଇ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ଆଉ ଏକ ଭିଡିଓରେ ଲୋକାମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ କରୋନାର ପୁତ୍ତଳିକା ଦାହ କରୁଥିବାର ଦେଖିବାକୁ ମିଳିଥିଲା। ଆଉ କିଛି ଲୋକ ମଉଜ କରୁଥିଲେ, ରାସ୍ତା ଉପରେ ଉତ୍ସବ ପାଳନରେ ବ୍ୟସ୍ତ ଥିଲେ। ଆମ ସହରରେ ତ କିଛି ଲୋକ କେଇପାଦ ଆଗେଇ ଯାଇ ବାଣ ଫୁଟାଇ ଆକାଶକୁ ଶବ୍ଦ ଆଉ ଆଲୋକମୟ କରି ଦେଇଥିଲେ। ମୁଁ ଭାବିହେଉଛି, ସେମାନେ ଏ ଅବେଳରେ ବାଣ କେଉଁଠୁ ଯୋଗାଡ଼ କଲେ! ଆଉ କିଛି ସ୍ଥାନରେ ଲୋକେ ହାତରେ ମୋବାଇଲ୍‌ ଫ୍ଲାସ୍‌ଲାଇଟ୍‌ ଧରି ନାଚ କରୁଥିବାର ଦେଖିବାକୁ ମିଳିଥିଲା। ପ୍ରକୃତରେ ଦେଶର ବହୁ ସ୍ଥାନରେ ଏହା ଜଳଜଳ ଦିଶୁଥିଲା ଯେ ଲୋକମାନେ ନିଜ ଲକ୍‌ଡାଉନ୍‌ ପୃଥିବୀରୁ ବାହାରକୁ ଆସିବା ପାଇଁ ଆପଣଙ୍କ ଆହ୍ବାନକୁ ଏକ ସୁଯୋଗ ଭାବରେ ବ୍ୟବହାର କରିଛନ୍ତି। ଆପଣଙ୍କ ଡାକରାର ଉଦ୍ଦେଶ୍ୟ କ’ଣ ଏୟା ଥିଲା?

ଅବଶ୍ୟ ଏହା ସତ ଯେ ସେହି ପାଗଳଙ୍କ ଦଳରେ ନମିଶିି ବହୁ ସଂଖ୍ୟାରେ ଦେଶବାସୀ ଆପଣଙ୍କ ଆହ୍ବାନକୁ ଠିକ ଭାବେ ପାଳନ କରିଥିଲେ। କିନ୍ତୁ ଯେମିତି କୂଅର ପାଣିକୁ ଅଯୋଗ୍ୟ କରିବା ପାଇଁ ବୋତଲେ ବିଷ ଯଥେଷ୍ଟ, ଠିକ ସେହିଭଳି ଏହି ଅମାନିଆ ପାଗଳ ଦଳ ସମାଧାନ ଅପେକ୍ଷା ଅଧିକ ସମସ୍ୟା ଆଣି ଠିଆକଲେ। ଯେମିତି ଧର୍ମରେ ଅନ୍ଧ ହୋଇ କିଛି ଲୋକ କରୋନା ଭୂତାଣୁ ବ୍ୟାପିବାରେ ସହଯୋଗ କରି ନିଜର ସାରା ସଂପ୍ରଦାୟକୁ ଲଜ୍ଜିତ କରୁଛନ୍ତି, ସେମିତି ଏଇ ଅମାନିଆ ନାଗରିକ ଗଣ ଆମର ସବୁ ଉଦ୍ୟମକୁ ପାଣିରେ ପକାଇ ଦେଇଛନ୍ତି ଯଦିଓ ଆମେ ନିୟମ ଅନୁସାରେ କାମ କରିଛୁ।

ପ୍ରିୟ ପ୍ରଧାନମନ୍ତ୍ରୀ ମହୋଦୟ, ଏହା ବହୁତ ହୋଇଗଲା। ଆପଣ ଯେତିକି ଆଶା କରୁଛନ୍ତି ଆମର ଲୋକମାନେ ତାହା ଠାରୁ ଢେର ଅଧିକ ଉତ୍ସାହିତ। ଆପଣ ଦୁଇ ଦୁଇ ଥର କରୋନା ବିପକ୍ଷରେ ଆମର ଏକତା ପରଖି ସାରିଲେଣି। ଏବେ ବହୁତ ହେଇଗଲା। ଦୟାକରି ଆଗକୁ ଆଉ ଏମିତି ଆହ୍ବାନ ଦିଅନ୍ତୁନାହିଁ, ଅନ୍ତତଃ ଏହି ମହାମାରୀ ସମୟରେ। ଆପଣ ଯେତେବେଳେ କିଛି କହୁଛନ୍ତି ବହୁ ଲୋକ ଏହାକୁ ଭିନ୍ନ ଭାବରେ ଶୁଣୁଛନ୍ତି ଓ ସେମାନେ ଯେଭଳି ଅନୁସରଣ କରିବାକୁ ଭଲପାଆନ୍ତି ସେହିଭଳି କରୁଛନ୍ତି।

ଆଉ ଏଭଳି ଦାୟିତ୍ବ ଆମକୁ ଦିଅନ୍ତୁନାହିଁ। ଏବେ କରୋନା ବିରୋଧରେ ଲଢ଼େଇର ବେଳ ଓ ଆମ ଦେଶକୁ ସୁରକ୍ଷିତ କରିବାରେ ଆମର ଏକତା ପ୍ରଦର୍ଶନର ବେଳ। ଆପଣ କରୋନା ବିରୋଧରେ ଲଢ଼େଇରେ ନିଜକୁ ବ୍ୟସ୍ତ ରଖନ୍ତୁ। ସାରା ଦେଶ ଆପଣଙ୍କ ସହ ଅଛି ଏବଂ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ଆମେ ଯିଏ ଯେତିକି କରିପାରିବୁ ମିଳିମିଶି କରୁଛୁ।

ଯଦି କମ୍‌ ମୃତ୍ୟୁହାର ସହ ଯଥା ଶୀଘ୍ର ସମ୍ଭବ ଭାରତ ଏହି ମହାମାରୀକୁ ହରାଇବାରେ ସଫଳ ହୁଏ, ତେବେ ଅଧିକ ଶ୍ରେୟ ଆପଣଙ୍କୁ ହିଁ ଯିବ। ଆମେ ଆପଣଙ୍କୁ ନେଇ, ସରକାରଙ୍କୁ ନେଇ, ପ୍ରଶାସନକୁ ନେଇ ଓ ସର୍ବୋପରି ଯେଉଁମାନେ ଏହି ଜରୁରୀ ପରିସ୍ଥିତିରେ ସେବାରେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ। ଦେଖନ୍ତୁ, ଯଦି ଏଭଳି ଘଟେ ଆପଣ ଲୋକଙ୍କୁ ଏକତା ପ୍ରଦର୍ଶନ ପାଇଁ ଡାକରା ଦେବାକୁ ପଡ଼ିବନାହିଁ। ଆପଣଙ୍କ ସମର୍ଥ ନେତୃତ୍ବର ପ୍ରଶଂସା କରିବା ପାଇଁ ଲୋକେ ଆପେ ଆପେ ତାଳି-ଥାଳି ବାଡ଼େଇବା ସହ ଦୀପ ଜାଳିବାକୁ ଆଗେଇ ଆସିବେ।

କେବଳ ଆମେ ଭାରତୀୟମାନେ ନୁହଁ, ଆପଣଙ୍କ ସଫଳତାର ପ୍ରଶଂସା ପାଇଁ ସାରା ବିଶ୍ବ ଆଗେଇ ଆସିବ। ଏବଂ ଯଦି ସେଇଦିନ ଆପଣ ଲୋକଙ୍କୁ ହାତରେ ଗିନାତାଟିଆ ଆଉ ମହମବତୀ ଧରି ରାସ୍ତାରେ ଶୋଭାଯାତ୍ରା କରୁଥିବାର ଦେଖିବେ ତେବେ ସେମାନଙ୍କ ଭିଡ଼ ଭିତରେ ଏ ଅଧମ ଅବଶ୍ୟ ଥିବ।

ମୋର ଆଶା ଆମେ ଖୁବ୍‌ ଶୀଘ୍ର ଏଥିରୁ ତ୍ରାହି ପାଇବା ଏବଂ ୨୦୨୦ ନଭେମ୍ବର ୧୪ ତାରିଖରେ ଅସଲ ଦୀପାବଳି ଓ ଶିଶୁଦିବସ ପାଳନ କରିବାକୁ ଏକାଠି ହେବା। ଆପଣଙ୍କୁ ଅଧିକ ଶକ୍ତି ମିଳୁ। ଆମର କରୋନା ବିରୋଧୀ ଲଢ଼େଇ ଆହୁରି ଶକ୍ତିଶାଳୀ ହେଉ।

ଧନ୍ୟବାଦ।
ଆପପଣଙ୍କୁ ସମ୍ମାନ ଜଣାଇ ରହୁଛି।

ଶୁଭ୍ରାଂଶୁ ପଣ୍ଡା
ଭୁବନେଶ୍ବର
ଫୋନ୍: ୯୩୩୮୬୫୫୮୪୫

ମୂଳ ଚିଠିଟିର ପିଡିଏଫ୍‌ କପି ପଢ଼ିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ

Comments are closed.