Odisha Link
Bridging the Missing Links in Odisha

ଝାରପଡ଼ାରେ ମା’ ଓ ଦୁଇ ଝିଅଙ୍କୁ କରୋନା

ଭୁବନେଶ୍ବର: ଝାରପଡ଼ା-ସତ୍ୟନଗର ଅଞ୍ଚଳରେ ପୂର୍ବରୁ ଗୋଟିଏ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୧୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଗତକାଲି ଏହି ପରିବାରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଆକ୍ରାନ୍ତ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୩୭ ବର୍ଷର ମହିଳା ଓ ତାଙ୍କର ଦୁଇ ଝିଅ ଅଛନ୍ତି। ଝିଅମାନଙ୍କର ବୟସ ୯ ଓ ୫ ବର୍ଷ।

ସ୍ବାସ୍ଥ୍ର ବିଭାଗ ଦେଇଥିବା ସୂଚନା ଅନୁସାରେ ଏହି ୩୭ ବର୍ଷିୟ ମହିଳା ଜଣଙ୍କ ୯ ବର୍ଷ ଓ ୫ ବର୍ଷ ବୟସ୍କା ଶିଶୁ କନ୍ୟା ଦୁଇଜଣଙ୍କୁ ସାଙ୍ଗରେ ନେଇ ଏପ୍ରିଲ ୪ ଓ ୫ ତାରିଖରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ ଯାଇଥିଲେ। ୪୨ ନମ୍ବର କରୋନା ଆକ୍ରାନ୍ତଙ୍କୁ ଦେଖିବା ପାଇଁ ସେମାନେ ଏମ୍ସ ଯାଇଥିଲେ। ଏପ୍ରିଲ ୬ ତାରିଖ ଠାରୁ ସେମାନଙ୍କୁ ଘରେ ସଂଗରୋଧ ରହିବାକୁ କୁହାଯାଇଥିଲା। ଏପ୍ରିଲ ୮ ତାରିଖରେ ସମ୍ପର୍କ ସନ୍ଧାନ (contact tracing) ବେଳେ ସେମାନଙ୍କ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା। ଗତକାଲି ରାତିରେ ୩ ଜଣଯାକର ନମୁନା ପଜିଟିଭ୍‌ ଆସିବା ପରେ ଆଜି ସେମାନଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ୪୨ ନମ୍ବର କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟରେ ଏଯାବତ ୪୮ ଜଣ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଏମାନଙ୍କ ଭିତରେ ୪ ମହିଳା (୨ ଶିଶୁଙ୍କ ସମେତ) ଅଛନ୍ତି। ଏମାନଙ୍କ ଭିତରୁ ଉପରୋକ୍ତ ୩ ଜଣ ଭୁବନେଶ୍ବରର ହୋଇଥିବା ବେଳେ ଜଣେ ଢେଙ୍କାନାଳ ସହରର।

Comments are closed.