Odisha Link
Bridging the Missing Links in Odisha

ହାଇଡ୍ରୋକ୍ସିକ୍ଲୋରୋକୁଇନ୍: ମୋଦିଙ୍କୁ ଧନ୍ୟବାଦ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିନାଶକ ବୋଲି ଦାବି କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ରପ୍ତାନୀ ଉପରୁ ଭାରତ କଟକଣା ହଟାଇଦେବା ପରେ ଏବେ ବିଶ୍ବର ବିଭିନ୍ନ କୋଣରୁ ଧନ୍ୟବାଦ ଓ କୃତଜ୍ଞତାର ସୁଆ ଛୁଟିଛି। ଭାରତକୁ ଇସ୍ରାଏଲ ମଧ୍ୟ ଏହି ବଟିକା ମାଗିଥିବା ବେଳେ ଭାରତ ଦେବା ପାଇଁ ସମ୍ମତି ପ୍ରଦାନ କରିଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଦିଙ୍କୁ ଧଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହାଣ୍ଡଲରେ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ସମସ୍ତ ଦେଶବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି।

ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ଗତ ଶନିବାର ଦିନ (୨ ଏପ୍ରିଲ) ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଉଠାଇ ଦିଆଯାଇଛି। ପରେ ପରେ ବହୁ ଦେଶ ମଧ୍ୟ ଏହହି ଔଷଧ ପପାଇଁ ଭାରତକୁ ଅନୁରୋଧ କରିଛନ୍ତି।

କରୋନା ପାଇଁ ଅବ୍ୟର୍ଥ ଔଷଧ ବୋଲି ଚର୍ଚ୍ଚା ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ସହ ପାରାସିଟାମଲ୍‌ ଉପରୁ ମଧ୍ୟ ସର୍ତ୍ତମୂଳକ ଭାବେ କଟକଣା ଉଠାଇଛନ୍ତି ଭାରତ ସରକାର। ଭାରତର ଘରୋଇ ଆବଶ୍ୟକତା ପୂରଣ ପାଇଁ ଔଷଧ ରଖି ବଳକା ଉତ୍ପାଦକୁ ମାମଲାର ଗମ୍ଭୀରତା (case-by-case basis) ଅନୁସାରେ ରପ୍ତାନୀ କରାଯିବ।

ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବିକ୍ରି ଉପରେ କଟକଣା ଲଗାଇଛି। ଗତ ଶନିବାର ଠାରୁ (୪ ଏପ୍ରିଲ) ଏହାର ରପ୍ତାନି ଉପରେ ମଧ୍ୟ ଭାରତ କଟକଣା ଲଗାଇଥିଲା ଅର୍ଥାତ୍‌ ଏହି ଔଷଧ ଭାରତ ବାହାରକୁ ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା, ଯାହା ଆଜି ଡଟାଇ ଦିଆଯାଇଛି।

ପାଠକେ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏ ଔଷଧ ଯଦି କରୋନାଜନିତ ରୋଗ ଭଲ କରିପାରୁଛି ସରକାର ଏହାର ବିକ୍ରି ଉପରେ କଟକଣା କାହିଁକି ଲଗାଇଛନ୍ତି। ଏହା ପଛରେ ଦୁଇଟି କାରଣ ରହିଛି- ପ୍ରଥମ, ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଦ୍ବିତୀୟ, ଏହା ଏଯାଏଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଘୋଷଣା କରାଯାଇନାହିଁ।

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କାମ କରିବ ବୋଲି କହିଛନ୍ତି।

ତେବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ସେବନ କରିବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଏହା କ୍ଲୋରୋକୁଇନ୍‌ ସହ ପ୍ରାୟ ସମାନ। କ୍ଲୋରୋକୁଇନ୍ ମ୍ୟାଲେରିଆ ପାଇଁ ଏକ ଅବ୍ୟର୍ଥ ଔଷଧ ଭାବେ ବ୍ୟବହୃତ ହୁଏ। ଏହା ଖାଇବା ପରେ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ପେଶୀ ପୀଡ଼ା ହେବା, ତ୍ବଚ୍ଚା ଶୁଷ୍କ ଦେଖାଯିବା, ତ୍ବଚ୍ଚା କୁଣ୍ଡେଇ ହେବା, ନାକରୁ ରକ୍ତ ବାହାରିବା ଓ ଶ୍ରବଣ ସମସ୍ୟା ଦେଖାଯିବା ଭଳି ସାମୟିକ ଶାରିରୀକ ଦୁର୍ବଳତା ଅନୁଭବ ହୋଇପାରେ। ଏହାକୁ ଅତ୍ୟଧିକ ମାତ୍ରାରେ ଖାଇଦେଲେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ କ୍ଲୋରୋକୁଇନ୍‌ ଅପେକ୍ଷା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ ସାମାନ୍ୟ କମ।

୫୦ ଦଶକରେ ବିଶ୍ବ ବଜାରକୁ ପ୍ରବେଶ କରିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀ ଔଷଧ ତାଲିକାରେ ରଖିଛନ୍ତି। ତେବେ କରୋନା ପ୍ରତିରୋଧ ପାଇଁ ଏହାର କାର୍ଯ୍ୟଦକ୍ଷତା ଉପରେ ଭାରତୀୟ ଡାକ୍ତର ଏବେ ବି ସନ୍ଦିହାନ। ଏଥିରେ ଥିବା ସଂକ୍ରମଣ-ପ୍ରତିଷେଧକ (ଆଣ୍ଟି-ଭାଇରସ୍) ଶକ୍ତିର ପ୍ରଭାବ ନେଇ ୨୦୦୩ରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଗବେଷଣାଗାରରେ ପରୀକ୍ଷଣ ବେଳେ ଏହା କରୋନା ଭୂତାଣୁକୁ ନଷ୍ଟ କରୁଥିବା ପ୍ରମାଣ ମିଳିଥିଲେ ବି ଏହା ଉପରେ ଅଧିକ ପରୀକ୍ଷା ଲୋଡ଼ା ବୋଲି ଆଇଏମ୍‌ସିଆର୍‌ କହିଛି।

Comments are closed.