Odisha Link
Bridging the Missing Links in Odisha

କରୋନା: ଦେଶରେ ଗୋଟିଏ ଦିନରେ ୭୮୧ ଆକ୍ରାନ୍ତ, ଓଡ଼ିଶାରେ ୬

ଭୁବନେଶ୍ବର: ଗୁରୁବାର ଦିନ ଭାରତ ସର୍ବାଧିକ ନୂଆ ଆକ୍ରାନ୍ତ ଠାବ କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତକାଲି ୭୮୧ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩୮ରେ ପହଞ୍ଚିଛି। ଗତ ସପ୍ତାହେ ଧରି ଦୈନିକ ୫୦୦ରୁ ୬୦୦ ମିତରେ ନୂଆ କୋଭିଡ୍‌ ପଜିଟିଭ୍‌ ମିଳୁଥିବା ବେଳେ ଗତକାଲିର ସଂଖ୍ୟା ସର୍ବାଧିକ।

ରିପୋର୍ଟ ଅନୁସାରେ ଏପ୍ରିଲ ୯ ତାରିଖରେ ମହାରାଷ୍ଟ୍ରରେ ସର୍ବାଧିକ ୨୨୯ ଜଣ, ତାମିଲନାଡ଼ୁରେ ୯୬ ଜଣ, ରାଜସ୍ଥାନରେ ୮୦, ଗୁଜରାଟ ୭୬, ଦିଲ୍ଲୀରେ ୫୧, ଉତ୍ତରପ୍ରଦେଶରେ ୪୬, ତେଲେଙ୍ଗାନାରେ ୧୮, ଆନ୍ଧ୍ରପ୍ରଦେଶରେ ୧୫ ଓ ବିହାରରେ ୧୨ ଜଣ ନୂଆ କରୋନା ରୋଗୀ ମିଳିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ୧୫୮ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏଥିରେ ଓଡ଼ିଶାରୁ ଅଛନ୍ତି ୬ ଜଣ। କାଲି ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଛି।

ତେବେ କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ ପୋର୍ଟାଲର ତଥ୍ୟ ଅପ୍‌ଡେଟ୍‌ ନଥିବା ଜଣାପଡ଼ିଛି। ଏଥିରେ ଦିଆଯାଇଥିବା ଜିଲ୍ଲା ଓ୍ବାରି ଆକ୍ରାନ୍ତ ତାଲିକାରେ ଓଡ଼ିଶାର ୫ ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ଦର୍ଶାଯାଉଛି। ଏହି ପୋର୍ଟାଳ ତଥ୍ୟ ଅନୁସାରେ ଗତକାଲି ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୩୩ ଥିବା ବେଳେ ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୬,୪୧୧ରେ ପହଞ୍ଚିଛି। ଗୋଟିଏ ଦିନରେ ଦେଶରେ ୬୮୮ ଜଣ ନୂଆ କରୋନା ଆକ୍ରାନ୍ତ ମିଳିଛନ୍ତି। ସେହିପରି ଗତକାଲି ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି ବୋଲି ଏହି ପୋର୍ଟାଲ କହିଛି।

ଭାରତରେ ଅନ୍ୟ ରାଷ୍ଟ୍ର ତୁଳନାରେ ସ୍ଥିତି ଭଲ ଅଛି ବୋଲି ପ୍ରତୀୟମାନ ହେଉଥିଲେ ହେଁ ଆମର ମୃତ୍ୟୁହାର ବେଶ୍‌ ଉଦ୍‌ବେଗଜନକ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ ମଧ୍ୟ ଅଧିକ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୧,୦୦୦ ଛୁଇଁବା ପାଇଁ ଲାଗିଥିଲା ୧୫ ଦିନ। ତେବେ ମାତ୍ର ୯ ଦିନରେ ଏ ସଂଖ୍ୟା ୫୦୦୦ ଡେଇଁଥିଲା। ମାର୍ଚ୍ଚ ୩୦ରେ ଭାରତରେ ୧,୦୭୧ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏପ୍ରିଲ ୮ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୦ ଡେଇଁଥିଲା ଓ ୧୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଯଦି ୫,୦୦୦ ଆକ୍ରାନ୍ତକୁ ଏକ ମାନକ ସଂଖ୍ୟା ଭାବରେ ନେଇ ଆମେ ତୁଳନା କରିବା ତେବେ ଆମର ମୃତ୍ୟୁହାର ଆମରିକା, ଚୀନ୍, ସ୍ପେନ୍, ଫ୍ରାନ୍ସ, ଇରାନ୍‌ ଓ ଜର୍ମାନୀ ଠାରୁ ଅଧିକ ରହିଛି।

ଆମେରିକାରେ ୫,୦୦୦ ଆକ୍ରାନ୍ତ ଥିବା ବେଳେ ମୃତକଙ୍କ ସଂଖ୍ୟା ଥିଲା ୧୦୦। ଚୀନ୍‌ରେ ୫,୦୦୦ ଆକ୍ରାନ୍ତ ଥିବା ବେଳେ ୧୩୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସ୍ପେନ୍‌ରେ ଥିଲା ୧୩୬। ଅନୁରୂପ ଭାବେ ଫ୍ରାନ୍ସ ଓ ଇରାନ୍‌ରେ ୫,୦୦୦ ଆକ୍ରାନ୍ତଙ୍କ ମଧ୍ୟରୁ ଯଥାକ୍ରମେ ୧୪୮ ଓ ୧୪୫ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ଜର୍ମାନୀରେ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ୫,୦୦୦ରୁ ଅଧିକ (୬,୦୧୨) ଜଣ କରୋନା ପଜିଟିଭ୍‌ ଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୧୩ ଜଣ ମୃତ୍ୟୁବରଣ କରିଥିଲେ।

Comments are closed.