Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ହଟିଲା ଭାବି ଷ୍ଟେସନ୍‌ରେ ପହଞ୍ଚିଲେ ହଜାର ହଜାର ଶ୍ରମିକ, ପୁଲିସର ଲାଠିମାଡ଼

ମୁମ୍ବାଇ: ଆଜି ଏପ୍ରିଲ ୧୪ ତାରିଖ। ପ୍ରଥମ ଦଫା ଲକ୍‌ଡାଉନ୍‌ ଆଜି ହଟିବାର ଥିଲା। ତେବେ ଏହାକୁ ଦେଶବ୍ୟାପୀ ମେ’ ୩ ତାରିଖ ଯାଏଁ ସଂପ୍ରସାରିତ କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଘୋଷଣା କରରିଥିବା ବେଳେ ମୁମ୍ବାଇର ହଜାର ହଜାର ଦାଦନ ଶ୍ରମିକଙ୍କ ପାଖରେ କିନ୍ତୁ ଏ ଖବର ପହଞ୍ଚି ପାରିନାହିଁ। ଆଜି ଲକ୍‌ଡାଉନ୍‌ ଉଠିବାର ଅଛି ଭାବି ନିଜ ନିଜ ରାଜ୍ୟକୁ ବାହୁଡ଼ିବା ଆଶାରେ ବାନ୍ଦ୍ରା ଷ୍ଟେସନ୍‌ରେ ସେମାନେ ଏକାଠି ହୋଇଛନ୍ତି। କାମଧନ୍ଦା ଓ ଅର୍ଥ ଅଭାବରେ ଆଉଟୁପାଉଟୁ ଏହି ଶ୍ରମିକମାନେ ଟ୍ରେନ୍‌ ମିଳିବା ଆଶାରେ ଅପେକ୍ଷା କରିଥିବା ବେଳେ ପୁଲିସ ଠାରୁ ମାଡ଼ ଖାଇବା ସାର ହୋଇଛି।

ଆଜି ଅପରାହ୍ଣରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଦକ୍ଷିଣ ବାନ୍ଦ୍ରା ରେଳ ଷ୍ଟେସନ୍‌ରେ। ଜମା ହୋଇଥିବା ଅଧିକାଂଶ ଲୋକ ବାହାର ରାଜ୍ୟରୁ ଆସିଥିବା ଦିନ ମଜୁରିଆ। ଅପରାହ୍ଣ ୪ଟା ବେଳ ଠାରୁ ଷ୍ଟେସନ୍‌ ବାହାରେ ଭିଡ଼ ବଢ଼ିବାରେ ଲାଗିଥିଲା। ଦେଖଣାହାରୀଙ୍କ କହିବା ଅନୁସାରେ ୩,୦୦୦ରୁ ଅଧିକ ଶ୍ରମିକ ଏକାଠି ହୋଇଥିଲେ। ସେମାନେ ବିହାର ଓ ଉତ୍ତରପ୍ରଦେଶକୁ ଟ୍ରେନ୍‌ ଚଳାଚଳ ଦାବି କରୁଥିବା ଖବର ପ୍ରକାଶ ପାଇଛି। ତେବେ ପୁଲିସ କହିବା ଅନୁସାରେ ଅପରାହ୍ଣ ୩ଟାରେ ପ୍ରାୟ ବାନ୍ଦ୍ରା ବସ୍‌ ଡିପୋରେ ମଧ୍ୟ ୧,୦୦୦ ଲୋକ ଏକାଠି ହୋଇଥିଲେ। ବାନ୍ଦ୍ରା ନିକଟ ପଟେଲ ନଗର ଅଞ୍ଚଳ ବସ୍ତିରେ ଭଡ଼ାରେ ରହୁଥିବା ଦିନ ମଜୁରିଆମାନେ ଏକାଠି ହୋଇ ନିଜ ରାଜ୍ୟକୁ ଫେରିବା ଲାଗି ଯାତାୟତ ସୁବିଧା ଦାବି କରିଥିଲେ। ଅଧିକାଂଶ ଲୋକ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରର ବୋଲି ଜଣାପଡ଼ିଛି।

ତେବେ ଏ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁକ ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରମିକମାନଙ୍କୁ ବୁଝାସୁଝା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସେମାନେ ଓଲଟା ଭାବିଛନ୍ତି ଓ ରାଜ୍ୟସୀମା ଖୋଲିଗଲା ବୋଲି ଭାବି ଏକାଠି ହୋଇଥାଇପାରନ୍ତି ବୋଲି ଦେଶମୁଖ କହିଛନ୍ତି।

ତେବେ ଏ ଭୁଲ ବୁଝାମଣା ପାଇଁ ଶିବସେନା କେନ୍ଦ୍ରକୁ ଦାୟୀ କରିଛି। ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି ଯେ କେନ୍ଦ୍ରର ଅସ୍ଥିର ଯୋଜନା ଯୋଗୁଁ ଏଭଳି ହୋଇଛି। ଶ୍ରମିକମାନେ ଖାଦ୍ୟ କିମ୍ବା ବାସଗୃହ ଚାହୁନାହାନ୍ତି ବରଂ ଘରକୁ ଫେରିବା ପାଇଁ ଜିଦ କରୁଛନ୍ତି ବୋଲି ଆଦିତ୍ୟ କହିଛନ୍ତି।

ସେପଟେ ଏତେ ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇବା ରାଜ୍ୟ ସରକାରଙ୍କ ବିଫଳତା ବୋଲି ବିଜେପି କହିଛି। ରାଜ୍ୟ ସରକାର ଦାଦନ ଶ୍ରମିକଙ୍କୁ ଖାଦ୍ୟ, ବାସଗୃହ ଓ ଅନ୍ୟ ଆବଶ୍ୟକତା ଦେଉନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି।

https://www.facebook.com/OdishaLink/videos/507887669907649