ରାଜ୍ୟରେ ୬୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୫ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବମିଖାଲର ହୋଇଥିବା ବେଳେ ଜଣେ ଝାରପଡ଼ାର ବୋଲି ଜଣାପଡ଼ିଛି। ଆଜି ସକାଳେ ଜଣେ ଯାଜପୁରରେ କରୋନା ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଥିଲେ ଯାଜପୁର ଜିଲ୍ଲାପାଳ। ଫଳରେ ଆଜି ଦିନକରେ ରାଜ୍ୟରେ ୫ ଜଣ କରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଗତକାଲି ୫୬୪ ଜଣଙ୍କର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସେଥିରୁ ୫ଜଣଙ୍କର ପଜିଟିଭ ଆସିଛି। ଯାଜପୁର ଜାଫରପୁର ଅଞ୍ଚଳର ଜଣେ ୬୧ ବର୍ଷୀୟ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଝାରପଡା ଅଞ୍ଚଳର ଜଣେ ଏବଂ ବମିଖାଲର ୩ ଜଣ । ଯାଜପୁର ସଂକ୍ରମିତଙ୍କ ଟ୍ରାଭେଲ ଲିଷ୍ଟ ଜାରି ହୋଇଛି। ସେ କୋଲକାତାରୁ ଫେରିଥିଲେ। ସେପଟେ ଝାରପଡାର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଜଣେ ପୁରୁଷ ଓ ତାଙ୍କର ବୟସ ୫୫ ବର୍ଷ। ସେ ରାଜ୍ୟର ୪୨ ତମ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ବମିଖାଲ ଅଞ୍ଚଳର ସଂକ୍ରମିତ ମଧ୍ୟରୁ ଜଣେ ୫୧ ବର୍ଷୀୟ ମହିଳା ଏବଂ ୫୧ ଓ ୭୦ ବର୍ଷ ବୟସର ଦୁଇଜଣ ପୁରୁଷ ରହିଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେବାବେଳେ ରାଜ୍ୟରେ କରୋନା ଟେଷ୍ଟିଂ ପଦ୍ଧତି ଓ ପରିମାଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ୨୫୦ ପାଖାପାଖି ନମୁନା ପରୀକ୍ଷା ହୋଇଥିବା ବେଳେ ସୋମବାର ସେହି ପରିମାଣ ୫୬୪କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୧ ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି।