ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ: ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ପିଲାମାନେ କିପରି ପାଠ ପଢିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଛନ୍ତି।
ଏପରିକି ଲକ୍ଡାଉନ୍ ପାଇଁ ସରକାରୀ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହୋଇ ନପାରିବାରୁ ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାସ୍ କରାଇଦେଇଥିଲେ। ପାସ୍ ହେବାପରେ ନୂତନ ଶ୍ରେଣୀଙ୍କୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ବହି ନଥିବା କାରଣରୁ କେମିତି ପାଠ ପଢିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ରହିଥିଲେ। ଏହାକୁ ନଜରରେ ରଖି ପିଲାଙ୍କ ପାଖରେ ବହି ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ଯାଇଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିଲାମାନେ ବହି ନେବାକୁ ସ୍କୁଲ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ବହି ଦେଇ ଆସିବେ।”
ଅନ୍ୟପକ୍ଷରେ କରୋନା ଲକ୍ଡାଉନ୍ ଯୋଗୁ ଆଜି ପର୍ଯ୍ୟନ୍ତ ମ୍ୟାଟ୍ରିକ୍ ଖାତା ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯାହାର ଉତ୍ତର ଦେବାକୁ ଯାଇ ଶ୍ରୀ ଦାଶ କହିଛନ୍ତି, ମେ’ ୩ ତାରିଖ ପରେ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ।