Odisha Link
Bridging the Missing Links in Odisha

ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ

ନୂଆଦିଲ୍ଲୀ: ଠିକ୍‌ ୧୨ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଜଗତରେ ଆସିଥିଲା ପରିବର୍ତ୍ତନ। କାରଣ ଆଜିର ଦିନରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଘରୋଇ ଟି-୨୦ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ୨୦୦୮ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ୍‌ ମହାକୁମ୍ଭ।

ଏହାରି ମଧ୍ୟରେ ୧୨ଟି ସଂସ୍କରଣ ଶେଷ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ୨୦୨୦ ଆଇପିଏଲ ଉପରେ କରୋନାର କଳା ବାଦଲ ଘୋଟେଇ ଯାଇଛି। ହେଲେ ଆଜି ବି ଆଇପିଏଲର ପ୍ରଥମ ମ୍ୟାଚ୍‌କୁ ଭୁଲି ପାରିନାହାନ୍ତି କ୍ରିକେଟ ପ୍ରେମୀ।

କାରଣ ଆଇପିଏଲର ଆରମ୍ଭରୁ ହିଁ ଅର୍ଥାତ୍ ପ୍ରଥମ ମ୍ୟାଚ୍‌ରେ ଲୋକମାନେ ଫଟାଫଟ କ୍ରିକେଟ କ’ଣ ସେକଥା ଦେଖିଥିଲେ। ଏହି ମ୍ୟାଚ୍‌ରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ବ୍ରେଣ୍ଡନ ମ୍ୟାକକୁଲମ ୧୫୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଉଦଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍‌ ଜିତି କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।

ମ୍ୟାକକୁଲମଙ୍କ ସହ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତା ପାଇଁ ଇନିଂସ ଆରମ୍ଭ କରିଥିଲେ। ଗାଙ୍ଗୁଲି ସଅଳ ଆଉଟ ହୋଇଥିଲେ ହେଁ ମ୍ୟାକକୁଲମ ୭୩ ବଲରେ ଅପରାଜିତ ୧୫୮ ରନର ଇନିଂସ ଖେଳିଥିଲେ। କୋଲକାତା ୨୦ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିଥିବା ବେଳେ ବେଙ୍ଗାଲୁରୁ ମାତ୍ର ୧୫.୧ ଓଭରରେ ୮୨ ରନ କରି ଅଲଆଉଟ ହୋଇଯାଇଥିଲା।

ଚଳିତବର୍ଷ ମହାମାରୀ କରୋନା ଭାଇରସ୍‌ ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସ୍ଥଗିତ ରହିଛି।

Comments are closed.