କରୋନା: ଦେଶରେ ୫ଶହ ଟପିଲା ମୃତ୍ୟୁ ସଂଖ୍ୟା, କେଉଁ ରାଜ୍ୟରେ କେତେ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍ ପରିଲିକ୍ଷିତ ହୋଇନାହିଁ। ଅପରପକ୍ଷେ ଦେଶରେ ୫୦୦ ଟପିଛି ମୃତକଙ୍କ ସଂଖ୍ୟା।
ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୫,୭୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୦୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୨୨୩୦ ଜଣ ଏହି ମହାମାରୀ କବଳରୁ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାମାରୀ କରୋନା ପାଇଁ ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ। ଏପରିକି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଦେଶରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଆଜି ସକାଳ ୮ଟା ସୁଦ୍ଧା ୩୬୫୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧୧ ଜଣଙ୍କର ମୃତ୍ୟୁ ହେଲାଣି। ଅପରପକ୍ଷେ ୩୬୫ ଜଣ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟା ମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ମୃତକଙ୍କ ସଂଖ୍ୟା: ମହାରାଷ୍ଟ୍ରରେ (୨୧୧), ଆନ୍ଧ୍ରା ପ୍ରେଦଶ(୧୫), ଆସାମ(୧), ବିହାର(୨), ଦିଲ୍ଲୀ(୪୨), ଗୁଜୁରାଟ(୫୩), ହରିୟାଣା(୩), ହିମାଚଳ ପ୍ରଦେଶ(୧), ଜମ୍ମୁ କଶ୍ମୀର(୫), ଝାରଖଣ୍ଡ(୨), କର୍ଣ୍ଣାଟକ(୧୪), କେରଳ (୩), ମଧ୍ୟପ୍ରଦେଶ(୭୦), ମେଘାଳୟ(୧), ଓଡ଼ିଶା(୧), ପଞ୍ଜାବ (୧୩), ରାଜସ୍ଥାନ(୧୧), ତାମିଲନାଡୁ(୧୫), ତେଲେଙ୍ଗାନା(୧୮), ଉତ୍ତର ପ୍ରଦେଶ(୧୪) ଓ ପଶ୍ଚିମବଙ୍ଗ(୧୨)। ସେହିପରି ୧୨ ଟି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ କେହି ହେଲେ ମୃତ୍ୟୁବରଣ କରି ନାହାନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ନେଉଥିବା ପରେ ବି ମୃତକଙ୍କ ସଂଖ୍ୟା ବଢିଛି। ତେବେ ଭୂତାଣୁକୁ ରୋକିବାକୁ ହେଲେ ଘରେ ସତର୍କ ରହିବା ସହ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ସାରା ଦେଶ ୩ ମେ’ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।