Odisha Link
Bridging the Missing Links in Odisha

ଲକ୍‌ଡାଉନ୍: ଛୁଆଙ୍କ ପାଇଁ ଖାଦ୍ୟ ଯୋଗାଡ଼ ନ ହେବାରୁ ଆତ୍ମହତ୍ୟା କଲେ ଯୁବକ

ଗୁରୁଗ୍ରାମ: ସ୍ଥାନୀୟ ଡିଏଲ୍‌ଏଫ୍‌ ଫେଜ୍‌-୫ ପଛ ସରସ୍ବତୀ କୁଞ୍ଜରେ ଏକ ନୁଆଣିଆ ଟିଣଛାତ ତଳେ ଅଧାଗଢ଼ା ଘରେ ରହନ୍ତି ରଙ୍ଗମିସ୍ତ୍ରୀ ମୁକେଶ, ତାଙ୍କ ପତ୍ନୀ ପୁନମ୍‌ ଓ ସେମାନଙ୍କର ୪ ସନ୍ତାନ। ଘର ରଙ୍ଗ କରି ଗୁଜୁରାଣ ମେଣ୍ଟାଉଥିବା ମୁକେଶ ପ୍ରାୟ ଏକମାସ ଧରି ଲକ୍‌ଡାଉନ୍‌ କାରଣରୁ ଘରେ ବେରୋଜଗାର ହୋଇ ବସିଥିଲେ। ଘର ସଉଦା ପାଇଁ ଅର୍ଥ ଯୋଗାଡ଼ କରି ନ ପାରିବାରୁ ସେ ଗୁରୁବାର (୧୬ ଏପ୍ରିଲ) ଦିନ ନିଜର ଦାମୀ ପୋନକୁ ମାତ୍ର ୨,୫୦୦ ଟଙ୍କରେ ବିକ୍ରି କରି ଦେଇଥିଲେ। ସେହି ଟଙ୍କାରେ ଚିନି, ଚାଉଳ, ଅଟା ଓ ଆଉ କିଛି ସଉଦା ସାଙ୍ଗକୁ ଗରମରେ ସିଝୁଥିବା ନିଜ ପିଲାମାନଙ୍କ ପାଇଁ ଏକ ଟେବୁଲ ଫ୍ୟାନ୍‌ ମଧ୍ୟ କିଣିଥିଲେ। ଏହା ବାଦ ବି କିଛି ଟଙ୍କା ବଳି ଯାଇଥିଲା ଯାହା ସେ ପତ୍ନୀ ପୁନମଙ୍କ ହାତକୁ ବଢ଼େଇ ଦେଇଥିଲେ। ଏଇ ସମୟରେ ପୁନମ୍‌ ଘର ବାହାରେ ଥିବା ନିମ ଗଛ ମୂଳେ ବସିଥିଲେ। ଏହା ପରେ ମୁକେଶ ଘର ଭିତରକୁ ଯାଇଥିଲେ। ପୁନମ ଭାବିଲେ ମୁକେଶ ଘରେ ବିଶ୍ରାମ ନେଉଥିବେ। କିଛି ସମୟ ପରେ ଘର ଭିତରକୁ ଯାଇ ପୁନମ୍‌ ଯାହା ଦେଖିଲେ ତାଙ୍କର ମୁଣ୍ଡ ଘୂରେଇ ଯାଇଥିଲା।

ପଡ଼ୋଶୀମାନେ ଟଙ୍କା ଯୋଗାଡ଼ କରି ମୁକେଶଙ୍କର ଶେଷକୃତ୍ୟ କରିଥିଲେ। ପୁନମଙ୍କ ବାପା ଉମେଶ ମୁଖିୟା ଗଣମାଧ୍ୟମକୁ କହିଛନ୍ତି- ମୁକେଶ ପ୍ରାୟ ଦୁଇ ମାସ ହେଲା ରଙ୍ଗକାମ ନିୟମିତ ପାଉ ନଥିଲେ। ତେଣୁ ସେ ଦିନ ମଜୁରିଆ ଭାବେ କାମ ଆରମ୍ଭ କରି ଦେଇଥିଲେ। ମାର୍ଚ୍ଚ ୨୪ ପର ଠାରୁ ଲକ୍‌ଡାଉନ୍‌ ଯୋଗୁଁ ଦୈନିକ ମୂଲ କାମ ବି ଆଉ ପାଇ ନଥିଲେ ମୁକେଶ। ଧୀରେ ଧୀରେ ତାଙ୍କ ପାଖରେ ଯାହା ସଂଚୟ ଥିଲା ତାହା ବି ଶେଷ ହୋଇଗଲା। ମୁକେଶ କିଛି ହାତ ଉଧାର ବି ନେଇଥିଲେ ଯାହା ସୁଝି ନ ପାରିବା କାରଣରୁ ଚିନ୍ତାରେ ଥିଲେ। ଉଧାର ଚିନ୍ତା ସାଙ୍ଗକୁ ପିଲାଙ୍କ ପାଇଁ ଖାଦ୍ୟ ମୁଠେ ଯୋଗାଡ଼ ନ କରିପାରିବାର ଗ୍ଲାନିରେ ଭାଙ୍ଗି ପଡ଼ିଥିଲେ ମୁକେଶ।

ଅନ୍ୟପଟେ ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସ କମିଶନର ମହମ୍ମଦ ଅକିଲ କହିଛନ୍ତି- ମୁକେଶଙ୍କ ପରିବାର ଠାରୁ ଜଣାଯାଇଛି ଯେ ତାଙ୍କର କିଛି ରୋଜଗାର ମାଧ୍ୟମ ନଥିଲା। ସେ ଭିକ୍ଷା ମାଗୁଥିଲେ। ମୁକେଶଙ୍କର ମାନସିକ ସ୍ଥିତି ଠିକ ନଥିଲା। ତାଙ୍କ ଆତ୍ମହତ୍ୟା ପାଇଁ କାହରିକୁ ଦାୟୀ କରାଯାଇ ପାରିବନାହିଁ।

ଗୁରୁଗ୍ରାମ ମେଟ୍ରୋପଲିଟାନ ଡେଭେଲପମେଣ୍ଟ ଅଥରିଟି କମିଶନର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭିଏସ୍‌ କୁଣ୍ଡୁ କହିଛନ୍ତି- ଆମେ ସେ ଅଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦେଖି ଖାଧ୍ର ଯୋଗାଇବାକୁ ଚେଷ୍ଟା କରୁଛୁ, ଯେପରି ଅନ୍ୟ କେହି ମୁକେଶ ଭଳି ଅବସ୍ଥା ନ ଭୋଗନ୍ତି।

ମୁକେଶଙ୍କ ପତ୍ନୀ ପୁନମ ଏବେ ନିଜର ୪ ସନ୍ତାନଙ୍କ ସହ ଭୟ ଓ ଚିନ୍ତା ଭିତରେ ଦିନ କାଟୁଛନ୍ତି। ତାଙ୍କ ଛୁଆମାନଙ୍କର ବୟସ ଯଥାକ୍ରମେ ୭ ବର୍ଷ, ୪ ବର୍ଷ, ୨ ବର୍ଷ ଓ ୫ ମାସ। ତାଙ୍କ ବାପା ଉମେଶଙ୍କର ଆର୍ଥିକ ଅବସ୍ଥା ବି ସ୍ବଚ୍ଛଳ ନୁହେଁ। ଉମେଶଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ବି କାମକୁ ଯାଇପାରୁନାହାନ୍ତି। ପଡ଼େଶୀଙ୍କ ଠାରୁ ଖବର ପାଇଁ ପୁଲିସ ଶବ ଜବତ କରି ମାଇନା ପାଇଁ ନେଇଥିଲେ। ଶୁକ୍ରବାର ଦିନ ଶବ ପୁନମଙ୍କୁ ହସ୍ତାନ୍ତର କରାଯାଇଥିଲା। ପଡ଼ୋଶୀଙ୍କ ସହଯୋଗରେ ସ୍ବାମୀଙ୍କର ଶବ ଦାହ କଲେ ପୁନମ। ପଡ଼ୋଶୀମାନେ ମିଶି ୫,୦୦୦ ଟଙ୍କା ପୁନମଙ୍କୁ ଦେଇଛନ୍ତି ଯାହା କ୍ରିୟାକର୍ମରେ ଖର୍ଚ୍ଚହେବ। ବସ୍ତିରେ ଦୈନିକ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ପହଞ୍ଚୁଥିଲେ ବି ତାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ ବୋଲି ବସ୍ତିବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି।

Comments are closed.