Odisha Link
Bridging the Missing Links in Odisha

କରୋନା: ସାତ ଷଡ଼ଯନ୍ତ୍ର

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ପାଇଁ ଏବେ ସାରା ବିଶ୍ବ ଥରହର। ପ୍ରାୟ ଏକ ମାସ ଧରି ବିଶ୍ବ ଏକପ୍ରକାର ସ୍ଥିର ହୋଇଯାଇଛି କହିଲେ ଚଳେ। ବିଶ୍ବର ଏକ ତୃତୀୟାଂଶ ଅଞ୍ଚଳ ଏବେ ଲକ୍‌ଡାଉନ୍‌ କବଳରେ। ଏଯାବତ୍‌ ୨୨ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି।

ବିଶ୍ବରେ ସବୁ ଠିକଠାକ ଥିଲା। ହଠାତ ଡିସେମ୍ବର ମାସରେ ଚୀନରେ ପ୍ରଥମେ ଏହି ରୋଗ ଦେଖାଦେଲା। ଆଉ ଚାହୁଁଚାହୁଁ ମାତ୍ର ୨ ମାସ ଭିତରେ, ଅର୍ଥାତ୍‌ ଫେବ୍ରୁଆରୀ ଆରମ୍ଭ ସୁଦ୍ଧା ବିଶ୍ବର ପ୍ରାୟ ଦେଶକୁ ଏହା ସଂଚରି ଯାଇଥିଲା। ଭାରତରେ ମାର୍ଚ ମାସ ଠାରୁ ଏହା ଅଧିକ ପ୍ରଭାବୀ ହେବାରେ ଲାଗିଥିଲା।

ତେବେ କ’ଣ ରହିଛି ଏହି ରୋଗ ପଛର କାରଣ? କେଉଁଠୁ ଆସିଲା ଏ ଭୂତାଣୁ? ଏହାକୁ ନେଇ ନାନାଦି ପ୍ରଶ୍ନ ଓ ସନ୍ଦେହ ଘୂରି ବୁଲୁଥିବା ବେଳେ ମୁଖ୍ୟତଃ ୭ଟି ସମ୍ଭାବ୍ୟ ଷଡ଼ଯନ୍ତ୍ରକୁ ନେଇ ଚର୍ଚ୍ଚା ହେଉଛି।

୧.) ବିଲ୍‌ ଗେଟ୍ସ

ଏବେ କିଛିଦିନ ହେଲା ବିଶ୍ବର ଅନ୍ୟତମ ବନ ଧନୀ, ଜନସେବକ ଓ ବ୍ୟବସାୟୀ ବିଲଗେଟ୍ସଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ତାଙ୍କୁ କରୋନା ଭୂତାଣୁ ପାଇଁ ଦାୟୀ କରାଯାଉଛି। ସେ ବହୁ ପୂର୍ବରୁ କରୋନାର ପ୍ରତିଷେଧକ ଆବିସ୍କାର କରି ସାରିଛନ୍ତି ଓ ଏଥିପାଇଁ ରୋଗ ବଢ଼ାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଇଣ୍ଟରନେଟରେ ଏବେ କରୋନା ସହ ବିଲ୍‌ ଗେଟ୍ସଙ୍କ ନାମ ହିଁ ବେଶି ସର୍ଚ୍ଚ ହେଉଛି।

୨.) ଜୈବିକ ଅସ୍ତ୍ର

କରୋନା ଭୂତାଣୁ ମଣିଷ ସମାଜକୁ ଧ୍ବଂସ କରିବା ପାଇଁ ଏକ ଜୈବିକ ଅସ୍ତ୍ର ବୋଲି ଚର୍ଚ୍ଚା ହେଉଛି। ଏହା ଗବେଷଣାଗାରରେ ପ୍ରସ୍ତୁତ ହୋଇଛି ଓ ଆକ୍ରମଣରେ ବ୍ୟବହୃତ ଅନ୍ୟ ଅସ୍ତ୍ର ଭଳି ଏହାକୁ ଶତ୍ରୁ ପକ୍ଷଙ୍କୁ ଶିଥିଳ କରିବା ପାଇଁ ବ୍ୟବହାର ଉଦ୍ଦେଶ୍ୟରେ ଚୀନ୍‌ ପ୍ରସ୍ତୁତ କରିଛି ବୋଲି ଚର୍ଚ୍ଚା ହେଉଛି। କାନାଡାର ଜାତୀୟ ମାଇକ୍ରୋବାୟୋଲୋଜି ଲାବ୍‌ରେ କିଛି ଚୀନ୍‌ ବୈଜ୍ଞାନିକ ଗୁପ୍ତଚର ଭାବେ ଧରାପଡ଼ିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚୀନ୍‌ ସମେତ ଆଉ କିଛି ଦେଶ ବାୟୋ-ଓ୍ବିପନ୍‌ ପ୍ରସ୍ତୁତିରେ ଅଛନ୍ତି ବୋଲି ଏହିଠାରେ ଜଣାପଡ଼ିଥିବା ଅଭିଯୋଗ ହୁଏ। ଚୀନ୍‌ର ଉହାନ ସହରରେ ଏକ ଗବେଷଣାଗାର ଅଛି ଓ ଏହିଠାରୁ ଭୁଲବଶତଃ ଭୂତାଣୁ ବାହାରକୁ ଚାଲି ଆସି ମଣିଷ ସମାଜର କ୍ଷତି କରିଥିବା ଚର୍ଚ୍ଚାହୁଏ।

୩.) ଜନସଂଖ୍ୟା ନିୟନ୍ତ୍ରଣ

ଚୀନ୍‌ ନିଜ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଜାଣିଶୁଣି ଏଭଳି ଭୂତାଣୁ ବ୍ୟାପକ କରିଥିବା ଚର୍ଚ୍ଚାହୁଏ। ଆମେରିକାର ସିନେଟର୍‌ ଟମ୍‌ କଟନ୍‌ ଫକ୍ସ ନ୍ୟୁଜର ଏକ ଟିଭି କାର୍ଯ୍ୟକ୍ରମରେ ଏ ନେଇ ଦାବି ଉଠାଇଥିଲେ। ଭୂତାଣୁ ଗବେଷଣାଗାରରେ ତିଆରି କରାଯାଇ ବାହାରେ ଛଡ଼ାଯାଇଛି ବୋଲି ସେ ଦାବି କରିଥିଲେ। ଚୀନ୍‌ ଏଥିପାଇଁ ଦାୟୀ ବୋଲି ସେ କହିଥିଲେ। ପରେ ପରେ ଆମେରିକା ରାଷ୍ଟ୍ରପତି ଏହି ଭୂତାଣୁକୁ ‘ଚାଇନା ଭୂତାଣୁ’ ବୋଲି ଆଖ୍ୟା ଦେଇଥିଲେ। କରୋନଳା ଭୂତାଣୁ ଜନିତ ରୋଗରେ ଚୀନରେ ଯେତିକି ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି ଅସଲରେ ତାହା ଢେର ଅଧିକ ଓ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ବିଭିନ୍ନ ଖବରରେ ପ୍ରକାଶ ପାଇଛି।

୪.) ଚୀନ୍‌ ଆଇଁଷ ବଜାରରୁ ସୃଷ୍ଟି

ସାମୁଦ୍ରିକ ଖାଦ୍ୟ ଓ ଅନ୍ୟ ପଶୁପକ୍ଷୀଙ୍କ ଠାରୁ ଏହା ଆସିଥିବା ଅନୁମାନ କରାଯାଉଛି। ଏକ ଭାଇରାଲ୍‌ ଭିଡିଓରେ ଚୀନ୍‌ର ଉହାନ ଆମିଷ ବଜାର ବୋଲି ଦାବି ହେଉଥିବା ଏକ ବଜାରର ବିଭତ୍ସ ଚିତ୍ର ଦେଖିବାକୁ ମିଳୁଛି। ମଣିଷ ମାଂସକୁ ଛାଡ଼ି ଏଠାରେ ସବୁପ୍ରକାର ମାଂସ ମିଳୁଥିବା ଦେଖାଯାଇଛି। ସାପ ଠାରୁ କୁମ୍ଭୀର ଯାଏଁ, କୁରୁର ଠାରୁ ବାଦୁଡ଼ି ଯାଏଁ, ପୋକ ଓ ଝିଣ୍ଟିକା ଠାରୁ ବିଛା ଯାଏଁ, ସବୁ ପ୍ରକାର ପଶୁପକ୍ଷୀଙ୍କ ମାଂସ ଚୀନବାସୀ ଖାଉଥିବାରୁ ଏହିମାନଙ୍କ ଠାରୁ ରୋଗ ଭୂତାଣୁ ଆସିଥିବା ଚର୍ଚ୍ଚା ହେଉଛି।

୫.) ୫-ଜି ନେଟଓ୍ବର୍କ

ଏଯାଏଁ ବିଶ୍ବରେ କେବଳ ଚୀନ୍‌ ୫-ଜି ନେଟଓ୍ବର୍କ ବ୍ୟବହାର କରୁଥିବା ଦାବି ହେଉଛି। ଚୀନରେ ଏହା ଗତବର୍ଷ ନଭେମ୍ବରରେ ଲଞ୍ଚ ହୋଇତିବା ବେଳେ ଏହାର କିଛି ଦିନ ପରେ ହିଁ କରୋନା ଭୂତାଣୁର ଆବିର୍ଭାବ ହୋଇଛି। ଏହି ନେଟଓ୍ବର୍କର ରେଡିଏସନ୍‌ କାରଣରୁ ଭୂତାଣୁ ବାହାରକୁ ଆସିଛି ଓ ମଣିଷ ଶରୀରରେ ପଶିଛି ବୋଲି ଦାବି ହେଉଛି। ଏ ଗୁଜବ ଅଧିକ ପ୍ରଚାରିତ ହେଲା ଯେତେବେଳେ ପ୍ରସିଦ୍ଧ ଆମେରିକୀୟ ଗାୟକ କେରି ହିଲସନ୍‌ ଏ ବାଦରେ ଲେକିଲେ। ଟ୍ବିଟରରେ ୪୨ ଲକ୍ଷ ଅନୁଗାମୀ ରଖିଥିବା କେହି ୫-ଜିକୁ ଦାୟୀ କରିଥିବା ବେଳେ ବଣନିଆଁ ଭଳି ଏହା ବ୍ୟାପିଯାଇଥିଲା।

୬.) ସାର୍ସ ଭଳି ବିପଦଜ୍ଜନକ ନୁହେଁ

ଦୁଇ ଦଶନ୍ଧି ତଳେ ଆସିଥିବା ସାର୍ସ ଭାଇରସ୍‌ ଭଳି କରୋନା ବିପଦଜନକ ନୁହେଁ। ଅସାବଧାନତା କାରଣରୁ କେବଳ ଅଧିକ ଜୀବନ ଯାଇଛି। ସାବଧାନ ହେଲେ ଏ ଭୂତାଣୁ ଆପେ ଚାଲିଯିବ ବୋଲି ଚର୍ଚ୍ଚା ହେଉଛି। ସାର୍ସରେ ମୃତ୍ୟୁହାର ୧୦ ପ୍ରତିଶତ ଥିବା ବେଳେ କରୋନାଜନିତ ମୃତ୍ୟୁହାର ୬ ପ୍ରତିଶତରୁ କମ ରହିଛି। ଚୀନ୍‌, ଇତାଲି, ଆମେରିକା ଓ ସ୍ପେନ୍‌କୁ ବାଦ ଦେଲେ ଏ ହାର ୧ ପ୍ରତିଶତରୁ ମଧ୍ୟ କମ ହେବ।

୭.) ବଜ୍ରକାପ୍ତା ଓ ବାଦୁଡ଼ି

ବଜ୍ରକାପ୍ତା ଓ ବାଦୁଡ଼ି ଠାରୁ ଏହି ରୋଗ ଆସିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ଜନ୍ତୁର ରୋଗପ୍ରତିରୋଧକ ଶକ୍ତି ବେଶ୍‌ ଅଧିକ ଓ ଏମାନେ ଶରୀରରେ କରୋନା ଭୂତାଣୁକୁ ଧରି ବୁଲିଥାଆନ୍ତି। ଏହି ଜନ୍ତୁର ମୃତ୍ୟୁ ସହ ଭୂତାଣୁ ମଧ୍ୟ ଆପେ ଆପେ ମରିଯାଏ। ତେବେ ଏମାନଙ୍କ ଅବାଧ ଶିକାର ଓ ଖାଦ୍ୟଭାବେ ବ୍ୟବହାର କାରଣରୁ ସେମାନଙ୍କ ଶରୀରରୁ ଭୂତାଣୁ ମଣିଷ ଦେହକୁ ଆସିଥିବା ଚର୍ଚ୍ଚା ହେଉଛି।

ଉପରେ ଯେଉଁ ୭ଟି ଷଡ଼ଯନ୍ତ୍ର ସମ୍ଭାବନା କଥା କୁହାଯାଇଛି ଏଥିମଧ୍ୟରୁ ନମ୍ବର-୫ (୫-ଜି ପ୍ରସଙ୍ଗ) ମିିିଥ୍ୟା ବୋଲି ପ୍ରମାଣିତ ହୋଇ ସାରିଥିବା ବେଳେ ଅନ୍ୟ ସମ୍ଭାବନାଗୁଡ଼ିକ ବାବଦରେ କୌଣସି ସତ୍ୟତା ଏଯାଏଁ ମିଳିନାହିଁ।

Comments are closed.