Odisha Link
Bridging the Missing Links in Odisha

ଭଲ ଖବର: ଗୋଆ ପରେ ମଣିପୁର ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି କରୋନା ଯାହାକି ଚିନ୍ତାର କାରଣ ପାଲଟିଛି। ଏସବୁ ମଧ୍ୟରେ ଏକ ଭଲ ଖବର ଆସିଛି। ଗୋଆ ପରେ ମଣିପୁର ଦେଶର ୨ୟ ରାଜ୍ୟ ଭାବେ ବର୍ତ୍ତମାନ କରୋନା ମୁକ୍ତ ହୋଇଛି। ଏନେଇ ନିଜେ ଟୁଇଟରରେ ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ।

ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ ଟୁଇଟ କରି କହିଛନ୍ତି ଯେ, ବର୍ତ୍ତମାନ ମଣିପୁର କରୋନା ମୁକ୍ତ ହୋଇଛି। ଏହି କଥା ମୁଁ ଖୁସିର ସହ ଶେୟାର କରୁଛି। ରାଜ୍ୟରେ ଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ଏବଂ ସମସ୍ତେ ସୁସ୍ଥ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସମୟରେ କୌଣସି ବି କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିନାହିଁ।

ସେ ଆହୁରି କହିଛନ୍ତି ଯେ, ଏସବୁ ଜନତାଙ୍କ ସାହାଯ୍ୟ, ସ୍ବାସ୍ଥ୍ୟକର୍ମୀଙ୍କ ସେବା ଏବଂ କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ ନିୟମ ଯୋଗୁଁ ସମ୍ଭବ ହୋଇଛି।

ଏହା ପୂୂର୍ବରୁୁ ଗୋଆ କରୋନା ମୁକ୍ତ ବୋଲି ଗୋଆ ସରକାର ଘୋଷଣା କରିଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, “ଗୋଆ ବର୍ତ୍ତମାନ କୋଭିଡ-୧୯ ମୁକ୍ତ ହୋଇଛି। ସମସ୍ତ ୭ କରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ଓ ପରେ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବ।”

ସୂଚନାଥାଉକି, କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବିଗତ ୨୪ ଘଣ୍ଟାରେ ୧୫୫୩ ନୂଆ ମାମାଲା ସାମ୍ନାକୁ ଆସିଛି। ଏବଂ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭, ୨୬୫ରେ ପହଁଞ୍ଚିଛି। ଏଥିସହିତ ଦେଶରେ ସୁସ୍ଥଙ୍କ ସଂଖ୍ୟା ୨୫୪୬ ରହିଛି ଯାହାକି ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଅପରପକ୍ଷେ ୧୪,୧୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.