Odisha Link
Bridging the Missing Links in Odisha

ବାଂଲା ଜାତିର ପିତା ମୁଜିବୁରଙ୍କ ହତ୍ୟାକାରୀ ପଶ୍ଚିମବଙ୍ଗରୁ ଗିରଫ

କୋଲକାତା: ବାଂଲା ମୁକ୍ତିଯୁଦ୍ଧର ଅଗ୍ରଣୀ ସାରଥି, ବାଂଲାଦେଶର ଜାତିର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶେଖ୍‌ ମୁଜିବୁର ରହେମାନ୍‌ଙ୍କ ଦୁଇଜଣ ହତ୍ୟାକାରୀକୁ ଭାରତରେ ଠାବ କରାଯାଇଛି। ୧୯୭୫ ମସିହାରେ ତତ୍‌କାଳୀନ ମୁଜିବୁର ବାଂଲାର ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କର ହତ୍ୟା ହୋଇଥିଲା। ଏଥିରେ ୧୨ ଜଣ ସାମିଲ ଥିଲେ। ଏମାନଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିବା ବେଳେ ୫ ଜଣ ଫେରାର୍‌ ଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ଦୁଇଜଣକୁ ନିକଟରେ ଠାବ କରାଯାଇଥିବା ଭାରତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅବଦୁଲ ମାଜିଦ୍‌ ନାମକ ଜଣେ ବିତାଡ଼ିତ ବାଂଲା ଆର୍ମି କ୍ୟାପ୍ଟେନ୍‌ ପଶ୍ଚିମବଙ୍ଗରୁ କିଛି ଦିନ ତଳେ ଧରା ହୋଇଥିବା ବେଳେ ଏବେ ୨୪ ପ୍ରଗଣାରୁ ଧରା ହୋଇଥିବା ଅଭିଯୁକ୍ତର ନାମ ହେଲା ରିସଲଦାର ମୋସଲେଉଦ୍ଦିନ୍‌ ଖାନ୍। ତାକୁ ସୋମବାର ଦିନ ବାଂଲାଦେଶକୁ ହସ୍ତାନ୍ତର କରିଛି ଭାରତ। ତାକୁ ୨୪ ପ୍ରଗଣା ଅନ୍ତର୍ଗତ ବନଗାଓଁରୁ ଭାରତୀୟ ସୁରକ୍ଷା କର୍ମୀ ଗିରଫ କରିଥିଲେ।

ମୁଜିବୁର ୧୯୭୧ରୁ ୧୯୭୨ ଯାଏଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ୧୯୭୨ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ୧୯୭୫ ଅଗଷ୍ଟ ୧୫ ତାରିଖରେ କିଛି ବିଦ୍ରୋହୀ ସେନା କର୍ମଚାରୀ ଏକ ଟ୍ୟାଙ୍କ ଚଢ଼ି ରାଷ୍ଟ୍ରପତି ଭବନରେ ଧସେଇ ପଶିଥିଲେ। ବନ୍ଧୁକଧାରୀ ବିଦ୍ରୋହୀମାନେ ମୁଜିବୁର୍, ତାଙ୍କ ସମସ୍ତ ପରିବାର ସଦସ୍ୟ ଓ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ହତ୍ୟା କରିଥିଲେ। ବର୍ତ୍ତମାନର ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ମୁଜିବୁରଙ୍କ ଝିଅ ଶେଖ୍‌ ହିସିନା ଓ ଆଉ ଜଣେ ଝିଅ ଶେଖ୍‌ ରେହନା ସେତେବେଳେ ଜର୍ମାନୀରେ ରହୁଥିବାରୁ ବଞ୍ଚି ଯାଇଥିଲେ। ଦେଶର କ୍ଷମତା ମୁଜିବୁରଙ୍କ ସହଯୋଗୀ ଖୋନ୍ଦାକର ମୋସ୍ତାକଙ୍କ ହାତକୁ ଯାଇଥିଲା ଓ ଉଭୟ କନ୍ୟାଙ୍କୁ ଦେଶ ଫେରିବାକୁ ନିଷିଦ୍ଧ କରାଯାଇଥିଲା। ୧୯୭୭ରେ ଆଉ ଏକ ସେନା ବିଦ୍ରୋହ ବଳରେ ସେନାଧ୍ୟକ୍ଷ ଜିଆଉର ରହେମାନ୍‌ କ୍ଷମତା ଦଖଲ କରିଥିଲେ। ୧୯୭୮ରେ ଜିଆଉର ନିଜକୁ ରାଷ୍ଟ୍ରପତି ଘୋଷଣା କଲେ। ମୁଜିବୁରଙ୍କ ହତ୍ୟାକାରୀମାନଙ୍କୁ ସେ ସୁରକ୍ଷା ମଧ୍ୟ ଦେଲେ। ଦୁଇ ଦଶନ୍ଧି ପରେ ୧୯୯୬ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମୁଜିବରଙ୍କ ଝିଅ ଶେଖ୍‌ ହସିନା। ତାଙ୍କ ସମୟରେ ମୁଜିବୁର ହତ୍ୟାକାଣ୍ଡର ଫାଇଲ୍‌ ଖୋଲିଥିଲା। ୨୦୦୯ ମସିହାରେ ୧୨ ଜଣ ଆର୍ମି ଅଫିସର/କର୍ମଚାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ବାଂଲାଦେଶ ସୁପ୍ରିମ କୋର୍ଟ। ୫ ଜଣଙ୍କୁ ଫାଶୀ ଦିଆଯାଇଥିବା ବେଳେ ଅନ୍ୟମାନେ ଫେରା ଥିଲେ। ଭାରତରୁ ଧରାପଡ଼ିଥିବା ଅବଦୁଲ ମାଜିଦ୍‌କୁ ଗତ ସପ୍ତାହରେ ଫାଶୀ ଦିଆଯାଇଥିଲା। ରିସଲଦାର ମୋସଲେଉଦ୍ଦିନ୍‌ ଖାନ୍‌ ପଶ୍ଚିମବଙ୍ଗରୁ ଗିରଫ ହେବା ପରେ ଗତକାଲି ତାକୁ ବାଂଲାକୁ ହସ୍ତାନ୍ତର କରାଯାଇଛି।

Comments are closed.