Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଭବନରେ ରହୁଥିବା ମହିଳା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ କରୋନାର କବଳରେ ରାଷ୍ଟ୍ରପତି ଭବନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ଏହି ପଜିଟିଭ ଜଣେ ମହିଳା ହୋଇଥିବାବେଳେ ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ ସଫେଇକର୍ମୀଙ୍କ ବୋହୂ ବୋଲି ଜଣାପଡିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରୁହନ୍ତି। ଏହି ଖବର ଜଣାପଡିବା ପରେ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରଙ୍କୁ ହୋମ କ୍ଵାରାଣ୍ଟିନରେ ରଖାଯାଇଛି।

ସୂଚନା ମୁତାବିକ ସଫେଇ କର୍ମଚାରୀଙ୍କ ବୋହୂର ମା ପୂର୍ବରୁ କରୋନାରେ ମୃତ୍ୟୁବରଣ କରିଥିଲେ। ଗାଁରେ ତାଙ୍କର ଅନ୍ତିମ ସଂସ୍କାରରେ ପୂରା ପରିବାର ଲୋକ ଯୋଗ ଦେଇଥିଲେ। ଏହା ପରେ, ପୁରା ପରିବାରକୁ ପୃଥକ ଭାବରେ ଆଇସୋଲେସନରେ ପଠାଯାଇଥିଲା ଏବଂ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା।

ସମସ୍ତଙ୍କର କରୋନା ପରୀକ୍ଷା ଫଳାଫଳ ନେଗେଟିଭ ଆସିଥିବାବେଳେ,ବୋହୂର ଫଳାଫଳ ପଜିଟିଭ ଆସିଥିଲା। ଏହା ପରେ ସ୍ୱାସ୍ଥ୍ୟ ବିଭାଗ, କ୍ୟାମ୍ପସରେ ରହୁଥିବା ୧୨୫ ପରିବାରକୁ ହୋମ କ୍ଵାରାଣ୍ଟିନରେ ରହିବାକୁ କୁହାଯାଇଛି। ତେବେ ଏହି ୧୨୫ ପରିବାରଙ୍କ ମଧ୍ୟରୁ ୨୫ ପରିବାର ଉକ୍ତ କର୍ମଚାରୀଙ୍କ ସହ ସମାନ ବ୍ଲକରେ(କଲୋନୀରେ) ରହୁଥିବାରୁ ଏହି ୨୫ ପରିବାରକୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି ଏବଂ ସେମାନଙ୍କର ଖାଦ୍ୟ ରାଷ୍ଟ୍ରପତି ଭବନରୁ ଆସୁଛି।

ସୂଚନାଥାଉକି, ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮, ୬୦୧ରେ ପହଁଞ୍ଚିଛି। ଏଥିସହିତ ଦେଶରେ ସୁସ୍ଥଙ୍କ ସଂଖ୍ୟା ୩୨୫୨ ରହିଛି ଯାହାକି ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଅପରପକ୍ଷେ ୧୪,୭୫୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.