Odisha Link
Bridging the Missing Links in Odisha

୬ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ଆଖି ତାଡ଼ିଦେଲା

ଭୋପାଳ: ସାରା ଦେଶ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ମଧ୍ୟପ୍ରଦେଶରେ ଏକ ଅତି ଅମାନବୀୟ ଅପରାଧ ଦେଖିବାକୁ ସାମନାକୁ ଆସିିଛି। ଜଣେ ୬ ବର୍ଷର ବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ବେଳେ ପୀଡ଼ିତାଙ୍କ ଆଖି ତାଡ଼ିଦେଇଛି ଅଭିଯୁକ୍ତ।

ଗତକାଲି ସଂଧ୍ୟାରେ ଜାବେରା ଥାନା ଅନ୍ତର୍ଗତ ବଂଶୀପୁରା ଗାଁରୁ ଝିଅଟି ନିଖୋଜ ହୋଇଥିଲା। ଆଜି ସକାଳେ ଗାଁ ଠାରୁ କିଛି କିଲୋମିଟର ଦୂରତାରେ ଏକ ପରିତ୍ୟକ୍ତ ଘରୁ ଝିଅଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ବେଳେ ଝିଅଟିର ହାତଗୋଡ଼ ବନ୍ଧା ହୋଇଥିବା ବେଳେ ଅଭିଯୁକ୍ତ ଝିଅଟିର ଦୁଇଟି ଆଖି କଣା କରିବା ପାଇଁ ମଧ୍ୟ ଉଦ୍ୟମ କରିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଖିରେ କଣା ଅଛି ଓ ରେଟିନାର ସନ୍ଧନ ମିଳୁନି ବୋଲି ଝିଅଟିକୁ ଚିକିତ୍ସିତ କରୁଥିବା ଡାକ୍ତର ସ୍ଥାନୀୟ ଏସ୍‌ପିଙ୍କୁ କହିଛନ୍ତି।

ଦେମାହ ଏସ୍‌ପି ହେମନ୍ତ ଚୌହାନ କହିଛନ୍ତି- ପୀଡ଼ିତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାକୁ ଜବଲପୁର ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଯାଇଛି। ଅଭିଯୁକ୍ତ ବାବଦରେ ଜାଣିବା ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଛି। ପୁଲିସକୁ ଅଭିଯୁକ୍ତ ବାବଦରେ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

ଝିଅଟି ବୁଧବାର ସଂଧ୍ୟାରେ ଘର ପାଖ ଦୋକାନରୁ କିଛି କିଣିବା ପାଇଁ ଯାଇ ଆଉ ଫେରି ନଥିବା ପରିବାର ଲୋକ କହିଛନ୍ତି।

ଲକ୍‌ଡାଉନ୍‌ ବେଳେ ମଧ୍ୟପ୍ରଦେଶରେ ଏଭଳି ହିଂସ୍ର ଅପରାଧ ଦ୍ବିତୀୟ ଥର ପାଇଁ ଘଟିଛି। ଗତ ସପ୍ତାହରେ ଭୋପାଳରେ ଜଣେ ଦୃଷ୍ଟିହୀନ ବ୍ୟାଙ୍କ ଅଧିକାରୀଙ୍କୁ କେହି ଅଜଣା ଅପରାଧୀ ପୀଡ଼ିତାଙ୍କ ଘରେ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ସ୍ବାମୀ ଲକ୍‌ଡାଉନ୍‌ କାରଣରୁ ବାହାର ରାଜ୍ୟରେ ଅଟକି ରହିଥିବା ବେଳେ ଏହି ନାରକୀୟ କାଣ୍ଡ ଘଟିଥିଲା। ଭୋପାଳ ପୁଲିସକୁ ଏଯାଏଁ ଏହି ଦୁଷ୍କର୍ମ ଘଟଣାରେ କୌଣସି ସୁରାକ୍‌ ମିଳି ନଥିବା ବେଳେ ପୁଣି ଏହି ନାବାଳିକା ଦୁଷ୍କର୍ମ ମାମଲା ସରକାର ଓ ରାଜ୍ୟ ପୁଲିସର ନିଦ ହଜାଇ ଦେଇଛି।

Comments are closed.