କରୋନା ମୁକାବିଲା: ଓଡ଼ିଶାରେ ୩୩କୁ ବୃଦ୍ଧି ପାଇଲା କୋଭିଡ ହସ୍ପିଟାଲ ସଂଖ୍ୟା

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିସହିତ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ କୋଭିଡ ହସ୍ପିଟାଲ ସଂଖ୍ୟା ୩୩ରେ ପହଞ୍ଚିଛି। ଏହି ସମସ୍ତ ହସ୍ପିଟାଲରେ ମୋଟ ୫୪୭୬ଟି ଶଯ୍ୟା ରହିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ ପୂର୍ବରୁ ୩୨ଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ କଳାହାଣ୍ଡି ଜିଲାର ଭବାନୀପାଟଣାଠାରେ ୬ଟି ଆଇସିୟୁ ସମେତ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଓଡିଶା ଖଣି ନିଗମ ଆର୍ଥିକ ସହାୟତାରେ ପ୍ରସ୍ତୁତ ହୋଇଥିବା ଏହି କୋଭିଡ ହସ୍ପିଟାଲରେ ଦକ୍ଷିଣ ଓଡିଶାର କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯିବ। ରାଜ୍ୟ ବାହାରେ ଫସିଥିବା ବହୁ ସଂଖ୍ୟକ ଓଡିଆ କଟକଣା କୋହଳ ପରେ ଫେରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ଅଧିକାଂଶ ଜିଲାରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରୁଥିବା କୁହାଯାଇଛି।