Odisha Link
Bridging the Missing Links in Odisha

‘ଦୁଇ ଗଜର ଦୂ‌ରତା’ ଜରୁରୀ: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ସମ୍ବୋଧନ କରି ଦେଶର ସମସ୍ତ ସରପଞ୍ଚଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି। ଯାହା ଦ୍ବାରା ଗ୍ରାମର ବିକାଶ ଯୋଜନା ଉପରେ ନଜର ରହିବ।

ଏଥିସହିତ ସ୍ୱାମୀତ୍ୱ ଯୋଜନାର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାରେ ଗାଁ ଗାଁର ମ୍ୟାପିଂ କରାଯିବ। ଡ୍ରୋନ ଜରିଆରେ ଗାଁର ସମ୍ପତ୍ତି ମ୍ୟାପିଂ କରାଯିବ। ସମ୍ପତ୍ତିକୁ ନେଇ ଗାଁରେ ଥିବା ଅସନ୍ତୋଷ ଶେଷ ହେବ ଏହି ଯୋଜନା ଦ୍ବାରା। ଦେଶର ୬ଟି ରାଜ୍ୟରେ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ସାରା ଦେଶରେ ଏହା ଲାଗୁ କରାଯିବ ବୋଲି ମୋଦି କହିଛନ୍ତି।

ସମ୍ବୋାଧନ କରି ମୋଦି କହିଛନ୍ତି ଯେ, ମହାମାରୀ କରୋନା ଭାଇରସ୍‌ କାମ କରିବା ଶୈଳୀକୁ ବଦଳାଇ ଦେଇଛି। ମହାମାରୀ ପାଇଁ ଆମ ଆଗରେ ଅନେକ ସମସ୍ୟା ଠିଆ ହୋଇଛି ହେଲେ ଆମକୁ ଆତ୍ମନିର୍ଭଶୀଳ ହେବାକୁ ମଧ୍ୟ ଏକ ଶିକ୍ଷା ଦେଇଛି। ଦେଶ, ରାଜ୍ୟ, ଜିଲ୍ଲା ଓ ଗାଁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ମିଳିଛି। ଆତ୍ମନିର୍ଭରଶୀଳ ନହେଲେ ସମସ୍ୟା ସମାଧାନ ହେବ ନାହିଁ। ପଞ୍ଚାୟତ ମଜଭୁତ ହେଲେ ଗଣତନ୍ତ୍ର ସଶକ୍ତ ହେବ ବୋଲି ମୋଦି କହିଛନ୍ତି।

ସମୟ ଥିଲା ‌ଦେଶର ‌ଶହେରୁ କମ୍ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିଲା। ଏବେ ୧. ୨୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପହଞ୍ଚିସାରିଛି। କେବଳ ଏତିକି ନୁହେଁ, ଗାଁମାନଙ୍କରେ କମନ୍ ସର୍ଭିସ ସେଣ୍ଟର୍‌ର ସଂଖ୍ୟା ତିନି ଲକ୍ଷ ଟପିଗଲାଣି ବୋଲି ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି ଯେ, ଦେଶର ଗାଁରେ ରହୁଥିବା ଲୋକେ କରୋନାଭାଇରସ୍‌ର ସଙ୍କଟ ସମୟରେ ନିଜ ସଂସ୍କାର, ନିଜ ପରମ୍ପରାରୁ କିଭଳି ଶିକ୍ଷା ପାଉଛନ୍ତି ତାହା ମଧ୍ୟ ଦୁନିଆ ଜାଣିଲା। ଗାଁମାନଙ୍କରୁ ଯାହା ଅପ୍‌ଡେଟ୍ ଆସୁଛି ତାହା ବଡ଼ ବଡ଼ ବିଦ୍ବାନ୍‌ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ବୋଲି ମୋଦି କହିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇ ପାଇଁ ‘ଦୁଇ ଗଜର ଦୂରତା’ ଜରୁରୀ ବୋଲି ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କୁ ଏ ବିଷୟରେ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ସେମାନଙ୍କ ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। କରୋନା ଭୂତାଣୁର ମୁକାବିଲା ପାଇଁ ସେମାନେ କିପରି ପଦକ୍ଷେପ ନେଉଛନ୍ତି ତାହା କହିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହିତ କରୋନା ମୁକାବିଲାରେ ଗ୍ରାମଞ୍ଚାୟତଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।

ପ୍ରଧାମନ୍ତ୍ରୀଙ୍କ ସହ ଏହି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ।

Comments are closed.