ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବା ଅପରାଧ ନୁହେଁ: ହାଇକୋର୍ଟ

କଟକ: ପୂର୍ବରୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ବିବାହ ନ କରିବାକୁ ଅପରାଧ ଦୃଷ୍ଟିରେ ଦେଖାଯାଉଥିଲା। ସ୍ବଇଚ୍ଛାରେ ଜଣେ ମହିଳା ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ରଖିଥିଲେ ମଧ୍ୟ ପରେ ଏଭଳି ଅଭିଯୋଗ ଆଣି ପୁରୁଷଟିକୁ ଧର୍ଷକ ପ୍ରମାଣିତ କରି ପାରୁଥିଲା। ତେବେ ଏଭଳି ମାମଲା ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ବିବାହର ପ୍ରତିଶ୍ରୁତି ଦେଇ ଯୌନସମ୍ପର୍କ ରଖିବା ଦୁଷ୍କର୍ମ ଅପରାକ୍ଷ (ରେପ୍) ନୁହେଁ ବୋଲି ଗତକାଲି ହାଇକୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି।
ବିଚାରପତି ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ୨୦୧୯ ଡିସେମ୍ବର ୧୮ରେ ନିମ୍ନ ଅଦାଲତ ଏ ମାମଲାରେ ଜାମିନ ଖାରଜ କରିଥିବା ବେଳେ ଖଣ୍ଡପୀଠ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବା ପରେ ଆବେଦନକାରୀ ତଦନ୍ତରେ ସହଯୋଗ କରିବେ, ପୀଡ଼ିତାଙ୍କୁ ଧମକ ଦେବେନାହିଁ ଓ ଜାମିନର ଅବବ୍ୟବହାର କରିବେନାହିଁ ବୋଲି ସର୍ତ୍ତ ରଖିଛନ୍ତି ଖଣ୍ଡପୀଠ।
କୋରାପୁଟର ପଟାଙ୍ଗୀ ଥାନାରେ ଗତ ବର୍ଷ ଏକ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଜଣେ ଅନୁସୂଚୀତ ଜନଜାତିର ମହିଳାଙ୍କ (୧୯ ବର୍ଷ) ଅଭିଯୋଗ ଅନୁସାରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଯୁବକ ଜଣକ ଦୁଷ୍କର୍ମ କରିଛନ୍ତି। ଏ ଘଟଣାରେ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋରାପୁଟ-ଜୟପୁର ଦୌରା ଓ ସ୍ବତନ୍ତ୍ର ବିଚାରପତି ଏ ମାମଲାରେ ଯୁବକଙ୍କ ଜାମିନ ଆବେଦନକୁ ୨୦୧୯ ଡିସେମ୍ବର ୧୧ରେ ଅଗ୍ରାହ୍ୟ କରିଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ଯୁବକ ଜଣକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ବେଳେ ବିଚାରପତିଙ୍କର ହୃଦବୋଧ ହୋଇଥିଲା ଯେ ଉଭୟ ଯୁବକଯୁବତୀ ଗୋଟିଏ ଅଞ୍ଚଳର ଓ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଉଭୟଙ୍କ ମଧ୍ୟରେ ପରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା ଓ ପୀଡ଼ିତା ଦୁଇଥର ନିଜର ଗର୍ଭନଷ୍ଟ କରିଥିଲେ। ପୀଡ଼ିତା ମାନସିକ ଭାବେ ସୁସ୍ଥ ଓ ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ଲାଗି ପ୍ରରୋଚିତ କରିବାର ପ୍ରଶ୍ନ ନଥିଲା ବୋଲି କୋର୍ଟଙ୍କର ହୃଦବୋଧ ହୋଇଛି।
ଆଇନ ଅନୁଯାୟୀ କେବଳ ୭ଟି ପରିସ୍ଥିତିରେ ଯୌନସମ୍ପର୍କକୁ ରେପ୍ ପର୍ଯ୍ୟାୟଭୁକ୍ତ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ, ପୀଡ଼ିତାଙ୍କ ବିନା ଅନୁମତିରେ, ମୃତ୍ୟୁ କିମ୍ବା ଆଘାତ ଦେବାର ଭୟ ଦେଖାଇ ନିଆଯାଇଥିବା ସମ୍ମତି, ଜଣେ ବ୍ୟକ୍ତି ନିଜକୁ ପୀଡ଼ିତାଙ୍କ ସ୍ବାମୀ ବୋଲି ଭୁଲ ଧାରଣା ଜନ୍ମାଇ ନିଆଯାଇଥିବା ସମ୍ମତି, ମାନସିକ ସ୍ଥିତି ଠିକ ନ ଥିବା ବା ନିଶାଗ୍ରସ୍ତ ଥିବାବେଳେ ବା ଘଟଣା ସମ୍ପର୍କରେ ବୁଝିବାକୁ ଅସମର୍ଥ ଥିବା ଅବସ୍ଥାରେ ନିଆଯାଇଥିବା ସମ୍ମତି, ସମ୍ମତି ଜଣାଇବା ସ୍ଥିତିରେ ନ ଥିବା ସମୟରେ ନିଆଯାଇଥିବା ସମ୍ମତି ଓ ୧୮ ବର୍ଷରୁ କମ୍ ବାଳିକାର ସମ୍ମତି- ଏହି ସବୁ ପରିସ୍ଥିତିରେ ଯୌନସମ୍ପର୍କ ରଖିବାକୁ ରେପ୍ ବୋଲି ବିଚାର କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ପୂର୍ବ ଉଦାହରଣ ଦେଇ କୋର୍ଟ କହିଛନ୍ତି ଯଦି ଜଣେ ବ୍ୟକ୍ତି ବିବାହ କରିବାକୁ ଇଚ୍ଛା କରିଥିଲେ ଓ ପରେ ମନ ପରିବର୍ତ୍ତନ କଲେ, ସେପରି ପରିସ୍ଥିତିରେ ମଧ୍ୟ ହୋଇଥିବା ଇଚ୍ଛାକୃତ ଯୌନସମ୍ପ ତେବେ ମଧ୍ୟ ତାହା ଦୁଷ୍କର୍ମ ପର୍ଯ୍ୟାୟଭୁକ୍ତ ହେବନାହିଁ। ଅନେକ ସମୟରେ ଇଚ୍ଛାରେ ଯୌନ ସମ୍ପର୍କ ରଖି ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଦୁଷ୍କର୍ମର ରୂପ ଦେବାର ଉଦାହରଣ ରହିଛି।