Odisha Link
Bridging the Missing Links in Odisha

ରାଉରକେଲା: ସିମି ଆତଙ୍କବାଦୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ଶବ ଶୋଭାଯାତ୍ରା

ରାଉରକେଲା: କରୋନା କଟକଣା ସମୟରେ ରାଉରକେଲା ସହରରେ ଏକ ଶବ ଶୋଭାଯାତ୍ରାର ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଏ ଭିଡିଓଟି ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦୁଇଦିନ ହେଲା ଓଡ଼ିଶାର ଗଣମାଧ୍ୟମମାନେ ଏ ଖବରକୁ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ରାଉରକେଲା ସହରର ଜନଗହଳପୂର୍ଣ୍ଣ ନାଲା ରୋଡ୍‌ ସରକାରୀ କଳ ଓ ପୁଲିସର ନିରବତା ପାଇଁ କିଭଳି ଦିନକୁ ଦିନ ନିରଙ୍କୁଶ ଭାବେ ଆଇନଭଙ୍ଗକାରୀଙ୍କ ପେଣ୍ଠସ୍ଥଳ ପାଲଟିଛି, ତାହାର ସଦ୍ୟତମ ଉଦାହରଣ ହଜାର ହଜାର ଲୋକ ଓ ପୁଲିସ ଉପସ୍ଥିତିରେ ଘଟିଥିବା ଏହି ଶବ ଶୋଭାଯାତ୍ରା।

ଗତ ରବିବାର ରାତିରେ ନାଲା ରୋଡର ଜଣେ ବ୍ୟବସାୟୀଙ୍କୁ କେହି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପଛରେ କୌଣସି ସାଂପ୍ରଦାୟିକ କାରଣ ନୁହେଁ, ବରଂ ଆପରାଧିକ ଷଡ଼ଯନ୍ତ୍ର (criminal conspiracy) ଥିଲା ବୋଲି ପୁଲିସ ସୂତ୍ରରୁ ସୂଚନା ରହିଛି। ପରଦିନ, ଅର୍ଥାତ୍ ସୋମବାର (୮ ଜୁନ୍) ରାତିରେ ମୃତକଙ୍କ ଶବକୁ ଧରି ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ସବୁଠୁ ପରିତାପର ବିଷୟ, ଏତେ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ପ୍ଲାଣ୍ଟ୍‌ ସାଇଟ୍‌ ଥାନା ସମ୍ମୁଖ ଦେଇ ଅତିକ୍ରମ କରିଥିଲେ ବି ପୁଲିସ ଆଖି ବନ୍ଦ କରିଦେଇଥିଲା। ପୁଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା ତାହା ନୁହେଁ, ବରଂ ଶୋଭାଯାତ୍ରା ସାଙ୍ଗରେ କିଛି ପୁଲିସ କର୍ମଚାରୀ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ଏ ଘଟଣା ବାବଦରେ ପୁଲିସ, ପ୍ରଶାସନ, ଗଣମାଧ୍ୟମ, ସାମାଜିକ କର୍ମୀ, ରାଜନୈତିକ କର୍ମୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସଭିଏଁ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥିଲେ। ଏଭଳି କିଛି ଘଟିଛି ବୋଲି ସତେ ଯେମିତି କେହି ଜାଣି ନ ଥିଲେ। ନାଁ ଏ ନେଇ ବୁଦ୍ଧିଜୀବୀ ମୁହଁ ଖୋଲିଲେ, ନା ଏ ନେଇ ଗଣମାଧ୍ୟମରେ କୌଣସି ରିପୋର୍ଟ ପ୍ରକାଶ ପାଇଲା, ନା ପୁଲିସ ମାମଲା ରୁଜୁ କଲେ, ନା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ। ଦୁଇଦିନ ପରେ ଯଦି ଏ ଘଟଣା ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରି ନଥା’ନ୍ତା, ହୁଏତ ଏଭଳି କିଛି ହୋଇଛି ବୋଲି ଆମେ ଜାଣିପାରି ନଥା’ନ୍ତେ। ତେବେ ଜାତୀୟ ଗଣମାଧ୍ୟମ ଘଟଣାଟିକୁ ଭୁଲ ଢଙ୍ଗରେ ପ୍ରସାରିତ କରିଥିଲା। ପୁଲିସ ଓ ହତ୍ୟାକାରୀ ବିରୋଧରେ ଏହି ଶୋଭାଯାତ୍ରା ପ୍ରଦର୍ଶନ ହେଉଛି ବୋଲି ଖବରରେ ଦର୍ଶାଯାଇଥିଲା, ଯାହା ଭ୍ରମାତ୍ମକ। ଏହା କେବଳ ଏକ ଶବ ଶୋଭାଯାତ୍ରା ହିଁ ଥିଲା। ଅନ୍ୟପଟେ କେହି କେହି ଘଟଣା ପଛରେ ସାଂପ୍ରଦାୟିକ (Communal) କାରଣ ଖୋଜୁଥିବା ବେଳେ ଏହା ପଛରେ ଆପରାଧିକ (Criminal) କାରଣ ହିଁ ରହିଛି ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୯ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଥାନୀୟ ଏସ୍‌ପି।

ଶବ ଶୋଭାଯାତ୍ରା ଘଟଣା ଜଣାପଡ଼ିବା ପରେ ଗତକାଲି (୧୧ ଜୁନ୍) ଠାରୁ ଓଡ଼ିଶାର ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରିତ ହୋଇଛି। ଅନୁରୂପ ଭାବେ ରାଉରକେଲାର ବୁଦ୍ଧିଜୀବୀ ବିଶେଷକରି ଓକିଲ ସଂଘ ଏ ବାବଦରେ ମୁହଁ ଖାଲିବା ସହ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛି। ସ୍ଥାନୀୟ ଏସ୍‌ପି, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନଙ୍କୁ ଏ ଘଟଣା ପାଇଁ ଦାୟୀ କରି ସେମାନଙ୍କର ବଦଳି ଦାବି କରିଛି ଓକିଲ ସଂଘ। ସେହିଭଳି କରୋନା କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି ରହିଛି।

ଅନ୍ୟପଟେ ମାମଲାରେ ତରବରିଆ ଭାବେ ହସ୍ତକ୍ଷେପ କରିଛି ସ୍ଥାନୀୟ ପୁଲିସ। ଶବ ଶୋଭାଯାତ୍ରାରେ ୫୦୦ ଜଣ ସାମିଲ ହୋଇଥିଲେ ଓ ଏ ଘଟଣାରେ ପ୍ଲାଣ୍ଟ ସାଇଟ୍‌ ଥାନାରେ ଏକ ମାମଲା ହୋଇଛି ବୋଲି ଗତକାଲି ରାଉରକେଲା ଏସ୍‌ପି ଟୁଇଟ୍‌ କରିଥିଲେ। ରହସ୍ୟଜନକ ଭାବେ ଏସ୍‌ପି ତାଙ୍କର ଏହି ଟୁଇଟ୍‌ଟିକୁ କିଛି ସମୟ ପରେ ନିଜ ହାଣ୍ଡଲରୁ ହଟାଇ ଦେଇଛନ୍ତି। ଘଟଣାରେ ନିର୍ଦ୍ଦିଷ୍ଟ ୧୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ଓ ଏଯାଏଁ କାହାରିକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି। ଶୋଭାଯାତ୍ରାରେ ୫୦୦ ନୁହେଁ, ବରଂ ପ୍ରାୟ ୫,୦୦୦ ଲୋକ ସାମିଲ ହୋଇଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁ ଓ ତତ‌ପରବର୍ତ୍ତୀ ଶବ-ଶୋଭାଯାତ୍ରା ଏକ ଭାବପ୍ରବଣତା-ଜଡ଼ିତ ବିଷୟ ହୋଇଥିବାରୁ ହୁଏତ ପୁଲିସ ଏ ମାମଲାରେ ନିରବ ରହିବାକୁ ଉଚିତ ମଣିଥିବ।

ତେବେ ଏ ଶୋଭାଯାତ୍ରାକୁ ନେଇ ଏତେ ମୁଣ୍ଡବ୍ୟଥା କଁଣ ପାଇଁ? ଏହାକୁ ନେଇ ଏତେ ଚର୍ଚ୍ଚା କାହିଁକି? ଉତ୍ତରର ଚେର ଲମ୍ବିଛି ଅତୀତକୁ। ଯେଉଁ ଅଞ୍ଚଳରେ ଏ ଘଟଣା ଘଟିଛି ସେ ଅଞ୍ଚଳରେ ପୂର୍ବରୁ ଆତଙ୍କବାଦ ଓ କରୋନା-ଅସହଯୋଗ, ପୁଲିସ ଉପରକୁ ଢେଲାମାଡ଼ ଓ ଅନ୍ୟାନ୍ୟ ଛୋଟବଡ଼ ଆପରାଧିକ ଘଟଣା ଘଟିସାରିଛି। ତେଣୁ ଏ ଶୋଭାଯାତ୍ରା କେବଳ ମାତ୍ର କରୋନା କଟକଣାର ଉଲ୍ଲଂଘନ ନା ପୂର୍ବ ଘଟଣା ସବୁର ଆଉ ଏକ ପରିବର୍ଦ୍ଧିତ ପରିପ୍ରକାଶ, ତାହା ଏବେ ଚିନ୍ତା କରିବାର ସମୟ।

ସିମି ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ

୨୦୧୬ ମସିହା ଫେବ୍ରୁଆରୀ ୧୬ ତାରିଖ ରାତିରେ ପୁଲିସ ସହ ଦୀର୍ଘସମୟ ଗୁଳି ବିନିମୟ ପରେ ଏହି ନାଲା ରୋଡ୍‌ ଅଞ୍ଚଳରେ ଲୁଚି ରହିଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମି (SIMI) ବା ଭାରତ ଇସଲାମୀୟ ଛାତ୍ର ଆନ୍ଦୋଳନ (Students Islamic Movement of India)ର ସଦସ୍ୟ ଥିଲେ। ଇଣ୍ଟେଲିଜେଣ୍ଟ ବ୍ୟୁରୋ, ଷ୍ଟେଟ୍‌ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ତେଲେଙ୍ଗାନା ପୁଲିସ, ସ୍ପେଶାଲ ଅପରାସନ୍‌ ଗ୍ରୁପ୍‌ ଓ ରାଉରକେଲା ପୁଲିସ ମିଳିତ ଭାବେ ଏହି ଚଢ଼ାଉ କରି ସେମାନଙ୍କ ଗିରଫ କରିଥିଲେ।

ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ୪ ସିମି ସଦସ୍ୟ ଓ ଜଣେ ସଦସ୍ୟଙ୍କ ମା’ ରହିଥିଲେ। ୪ ସିମି ସଦସ୍ୟଙ୍କ ବୟସ ୨୮ରୁ ୩୪ ମଧ୍ୟରେ। ସେମାନେ ଦୀର୍ଘଦିନରୁ ଫେରାର ଓ ଅପହଞ୍ଚ ଥିବାରୁ ସେମାନଙ୍କ ମୁଣ୍ଡ ବଦଳରେ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଜାତୀୟ ନିରାପତ୍ତା କର୍ତୃପକ୍ଷ (NIA) ଦ୍ବାରା ଓ୍ବାଣ୍ଟେଡ୍‌ ଥିବା ଏହି ଆତଙ୍କବାଦୀମାନେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିଲେ ହେଁ ରାଉରକେଲାର ନାଲା ରୋଡ୍‌ ଅଞ୍ଚଳରେ ଛପି ରହିଥିଲେ। ଚଢ଼ାଉ ବେଳେ ନାଲା ରୋଡ୍‌ରେ ସେମାନଙ୍କ ଆଡ୍ଡାରୁ ୧୦ଟି ବନ୍ଧୁକ, ଛୁରୀ ଓ ଗୁଳିଗୋଳା ଜବତ ହୋଇଥିଲା।

ସୂତ୍ର ଅନୁସାରେ ଦେଶ ଭିତରେ ସିମି ଆତଙ୍କବାଦୀଙ୍କ ବିଭିନ୍ନ ସୁରକ୍ଷିତ ଆବାସ ମଧ୍ୟରୁ ଗୋଟିଏ ଥିଲା ନାଲା ରୋଡ୍। ୨୦୧୬ରେ ଗିରଫ ହେବା ପୂର୍ବରୁ ଏଠାରେ ସେମାନେ ୬ ମାସ ଧରି ରହୁଥିଲେ। ଗିରଫ ବେଳେ ସେମାନଙ୍କ ପାଖରେ ମାତ୍ର ୩,୦୦୦ ଟଙ୍କା ଥିଲା। ଟଙ୍କା ଶେଷ ହୋଇ ଆସୁଥିବାରୁ ସେମାନେ ଛତିଶଗଡ଼ରେ ଏକ ବ୍ୟାଙ୍କ ଡକାୟିତ ଯୋଜନା ସହ ରାଉରକେଲାରେ ଅପରାଧ ଘଟାଇବାକୁ ପ୍ରସ୍ତୁତି ଚଳାଇଥିଲେ ବୋଲି ସେତେବେଳେ ପୁଲିସ ସୂଚନା ଦେଇଥିଲା।

୨୦୨୦ ମେ’ ୨୬ରେ ରାଉରକେଲାର ନାଲା ରୋଡରେ ହିଂସାକାରୀଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ୍

ପୁଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପଥର ମାଡ଼

ଗତ ମାସରେ ସେହି ନାଲା ରୋଡ୍‌ ଅଞ୍ଚଳରେ କରୋନା ସଂକ୍ରମଣ ଜନିତ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ନାଲା ରୋଡ୍‌‌ରେ ପ୍ରଥମେ ଏପ୍ରିଲ ୨୭ରେ କୋଭିଡ୍-୧୯ ଭୂତାଣୁ ଠାବ ହୋଇଥିଲା। ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ମେ’ ୪ ତାରିଖରେ ସେ ଅଞ୍ଚଳକୁ ସନ୍ଦିଗ୍ଧମାନଙ୍କ ନମୁନା ସଂଗ୍ରହ ପାଇଁ ଯାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ବିରୋଧ କରିଥିଲେ। ନମୁନା ଦେବାରେ ଆଦୌ ସହଯୋଗ କରି ନ ଥିଲେ, ବରଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ଫିଙ୍ଗିଥିଲେ ସ୍ଥାନୀୟ ଜନତା। କେବଳ ସେତିକି ନୁହେଁ, ଆବଦ୍ଧାଞ୍ଚଳ (କଣ୍ଟେନମେଣ୍ଟ ଜୋନ୍) ପାଇଁ ପ୍ରଶାସନ ଲଗାଇଥିବା ବାଉଁଶ ବ୍ୟାରିକେଡ୍‌କୁ ମଧ୍ୟ ଲୋକ ଭାଙ୍ଗି ଦେଇଥିଲେ। ପରେ ପୁଲିସ ପହଞ୍ଚିବାରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ପୁଲିସ ଉପରକୁ ପଥର ମାଡ଼ ହୋଇଥିବା ବେଳେ ୪ ଜଣ ପୁଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ବ୍ୟାପକ ପୁଲିସ ଉପସ୍ଥିତିରେ ସ୍ବାସ୍ଥ୍ୟକର୍ମୀମାନେ ସନ୍ଦିଗ୍ଧମାନଙ୍କ ନୁମୁନା ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ।

ଆବଦ୍ଧାଞ୍ଚଳକୁ ବିରୋଧ

ପୁଣି ମେ’ ୨୬ ତାରିଖରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ହଟାଇବା ଦାବିରେ ନାଲା ରୋଡ୍‌ ବାସିନ୍ଦା ରାସ୍ତାକୁ ଓହ୍ଲାଇ ଥିଲେ। ଉତ୍ୟକ୍ତ ଜନତା ସମସ୍ତ ବ୍ୟାରିକେଡ୍‌ ଉପାଡ଼ିଦେବା ସହ ପୁଲିସ ତମ୍ବୁ ଭାଙ୍ଗି ଦେଇଥିଲେ। ସୁରକ୍ଷା ପାଇଁ ମୁତୟନ ପୁଲିସ କର୍ମଚାରୀଙ୍କୁ ସେମାନେ ପଥରମାଡ଼ କରିଥିଲେ। ଆକ୍ରମଣ ଏତେ ଉଗ୍ର ଥିଲା ଯେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମଧ୍ୟ ଏଥିରୁ ବର୍ତ୍ତି ନଥିଲେ। ପଥର ମାଡ଼ରେ ୧୩ ଜଣ ପୁଲିସ କର୍ମଚାରୀ ଓ ଜଣେ ସାମ୍ବାଦିକ ଆହତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ପୋଡ଼ାଜଳା ସହ ବ୍ୟାପକ ହିଂସା ଘଟିଥିଲା। ଶେଷରେ ଉତ୍ୟକ୍ତ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଲା। କଣ୍ଟେନମେଣ୍ଟ ନିୟମ ଭଙ୍ଗ କରି ସେ ଅଞ୍ଚଳରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା ସହ ଅନ୍ୟ କଟକଣା କୋହଳ କରାଯାଇଥିଲା। ଏହାର ପ୍ରତିବାଦ କରି ସେତେବେଳେ ସ୍ଥାନୀୟ ବିଜେପି ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ନିୟମ ଭାଙ୍ଗିବାର ଏ ପରମ୍ପରାର ପୁନରାବୃତ୍ତି ହୋଇଛି ନିକଟରେ ହୋଇଥିବା ଶବ ଶୋଭାଯାତ୍ରା ବେଳେ। ଶବ ଶୋଭାଯାତ୍ରା ଅପରାଧ ନୁହେଁ। ନାଲା ରୋଡ‌ରୁ ସ୍ଥାନୀୟ କବରଖାନା ଯାଏଁ ଏ ଶୋଭାଯାତ୍ରା ଯିବା ବେଳେ କୌଣସି ହିଂସା ବି ହୋଇନାହିଁ। ତେବେ କରୋନା କଟକଣା ସମୟରେ ଶବ ଶୋଭାଯାତ୍ରାରେ ସର୍ବାଧିକ ୨୦ ଜଣ ଯାଇପାରିବେ ବୋଲି ନିୟମ ରହିଛି। ଏ ନିୟମକୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକାଠି ହେବା ଯେତିକି ଦୋଷାବହ, ପୁଲିସ ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ତତୋଧିକ ଚିନ୍ତାଜନକ।

Comments are closed.