Odisha Link
Bridging the Missing Links in Odisha

ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷା: ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବାଜିରାଓ ଆଇଏଏସ୍‌ ଏକାଡେମୀର ସଂଜିତା ମହାପାତ୍ର

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକ ସେବା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଦୁଇ ଜଣ ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ଥାନୀୟ ବାଜିରାଓ ଆଇଏଏସ୍‌ ଏକାଡେମୀର ଛାତ୍ରୀ ସଂଜିତା ମହାପାତ୍ର।

ଦେଶର ଏକ ଜଣାଶୁଣା ଆଇଏଏସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ‘ବାଜିରାଓ ଆଇଏଏସ୍‌ ଏକାଡେମୀ’ ବିଗତ କିଛି ବର୍ଷ ଧରି ନିରନ୍ତର ଭାବେ ସର୍ବଭାରତୀୟ ଓ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତମ ର‍୍ୟାଙ୍କ୍‌ ରଖିଆସୁଛି। ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଦିଲ୍ଲୀପ କୁମାର ଚଳିତ ବର୍ଷର ସଫଳତା ପାଇଁ ସଂଜିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଭୁବନେଶ୍ବର କୋଚିଂ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।।

ଡ. କୁମାର କହିଛନ୍ତି ଯେ ସଂଜିତା ମହାପାତ୍ର ଜଣେ ମେଧାବୀ ଓ ଉଜ୍ଜ୍ବଳ ବ୍ୟକ୍ତିତ୍ବର ଅଧିକାରିଣୀ। ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆର ଚାକିରି ଛାଡ଼ି ସଂଜିତା ଲୋକସେବା ପରୀକ୍ଷା ପାଇଁ ଅଧ୍ୟୟନ ଆରମ୍ଭ କରିଥିଲେ। ୨୦୧୭ରେ ସେ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରି ମଧ୍ୟ ଚାକିରିରେ ଯୋଗ ଦେଇନଥିଲେ। ନିରନ୍ତର ପ୍ରଚେଷ୍ଟା ଓ ଅଧ୍ୟବସାୟ ହେତୁ ସଂଜିତା ଚଳିତ ବର୍ଷ ଉଚ୍ଚ ର‍୍ୟାଙ୍କ ସହ ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛନ୍ତି ବୋଲି କୁମାର କହିଛନ୍ତି।

ସଂଜିତା ମଧ୍ୟ ନିଜର ସଫଳତା ପାଇଁ ବାଜିରାଓ ଆଇଏଏସ୍‌ ଏକାଡେମୀକୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ସେ ସାକ୍ଷାତକାର ଅଭ୍ୟାସ ଓ ପରୀକ୍ଷା ପାଇଁ ମାର୍ଗଦର୍ଶନ ପାଇଛନ୍ତି। ସଂଜିତା ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଆଉ ଜଣେ ଛାତ୍ର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଅଛନ୍ତି। ବାଜିରାଓ ଆଇଏଏସ୍‌ ଏକାଡେମୀର ଆଉ ଜଣେ ଓଡ଼ିଆ ଛାତ୍ର ବିଭୂତି ଭୂଷଣ ନାୟକ ମଧ୍ୟ ଏଥର ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଉଭୟ ସର୍ବଭାରତୀୟ ଓ ରାଜ୍ୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା କ୍ଷେତ୍ରରେ ଓଡ଼ିଶାରେ ବାଜିରାଓ ଆଇଏଏସ୍‌ ଏକାଡେମୀର ନାମ ରହିଛି। ଏବେ କୋଭିଡ୍‌ କଟକଣା ଯୋଗୁ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଭାବେ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି। ଗତ ବର୍ଷ ରାଜ୍ୟର ସର୍ବଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ବାଜିରାଓ ଆଇଏଏସ୍‌ ଏକାଡେମୀ ସମ୍ମାନିତ ହୋଇଥିଲା।

ଆଜି ପ୍ରକାଶିତ ସର୍ବଭାରତୀୟ ସଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଦେଶର ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ତାଲିକାରେ ପ୍ରଦୀପ ସିଂହ ସର୍ବାଗ୍ରେ ଅଛନ୍ତି।

Comments are closed.