ପରଲୋକରେ ପୂର୍ବତନ ପୁଲିସ୍ ଡିଜି ଏସ୍.ଏନ୍ ତିଓ୍ବାରୀ

ଭୁବନେଶ୍ବର: ପରଲୋକରେ ପୂର୍ବତନ ପୁଲିସ୍ ଡିଜି ଏସ୍.ଏନ୍ ତିଓ୍ବାରୀ। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କ୍ୟାନସର ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ।
ଦିବଙ୍ଗତ ଶ୍ରୀ ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ। ଏହାପରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ।
କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ଏସ୍ ଏନ୍ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି କେନ୍ଦ୍ରୀୟ ଡେପୁଟେସନ୍ରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି।
ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍ ପ୍ରଶଂସନୀୟ ଥିଲା।