ସମସ୍ତଙ୍କର ରାମ, ସମସ୍ତଙ୍କ ଠାରେ ରାମ: ମୋଦୀ
ଅଯୋଧ୍ୟା: “ରାମ ସବ୍ କା ହୈ, ରାମ ସବ୍ ମୈ ହୈ।” ଆଜି ରାମ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ‘ସିୟାବର ରାମଚନ୍ଦ୍ର କି ଜୟ’ ଓ ‘ଜୟ ଶ୍ରୀରାମ’ରୁ ନିଜର ବକ୍ତବ୍ୟ ଆରମ୍ଭ କରି ମୋଦୀ କହିଥିଲେ ଯେ ଏହି ନାମ ଏବେ କେବଳ ଅଯୋଧ୍ୟାରେ ଶୁଭୁଛି ତାହାନାହିଁ ବରଂ ସାରା ବିଶ୍ବରେ ଗୁଞ୍ଜରିତ ହେଉଛି।
୧୭୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ଆୟୋଜିତ ସଭାରେ ମୋଦୀ କହିଥିଲେ, ‘କେତେ ଦଶନ୍ଧିର ଅପେକ୍ଷାର ଆଜି ଅନ୍ତ ହୋଇଥିବା ବେଳେ ଭାରତ ଭାବପ୍ରବଣ ହୋଇଯାଇଛି। କୋଟି କୋଟି ଲୋକ ବିଶ୍ବାସ କରିପାରୁନଥିଲେ ଯେ ନିଜ ଜୀବଦ୍ଦଶାରେ ସେମାନେ ଆଜିର ଦିନ ଦେଖିବେ। ବର୍ଷ ବର୍ଷ ଧରି ରାମ ଲାଲା (ଶିଶୁ ରାମଙ୍କ ମୂର୍ତ୍ତି) ଛାମୁଡ଼ିଆ ତଳେ ପୂଜା ପାଉଥିଲେ। ଏବେ ରାମଭକ୍ତଙ୍କ ଦ୍ବାରା ନିର୍ମିତ ମନ୍ଦିରରେ ସେ ରହିବେ। ଆଜି ରାମ ଜନ୍ମଭୂମି ସ୍ବାଧୀନ ହେଲା।
ଅଯୋଧ୍ୟାରେ ପହଞ୍ଚି ପ୍ରଥମେ ହନୁମାନ ମନ୍ଦିରକୁ ଯାଇ ପୂଜା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପରେ ସେ ପ୍ରାୟ ୧୫ ମିନିଟ୍ ଧରି ରାମ ମନ୍ଦିର ଭୂମିପୂଜାରେ ଭାଗ ନେଇଥିଲେ। ୪୦ କେଜି ଓଜନର ଏକ ରୂପା ଇଟା ମାଧ୍ୟମରେ ମୂଳଦୂଆ ପକାଇ ମନ୍ଦିର କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୋଦୀ। ପରେ ସେ ଏକ ସଭାକୁ ସମ୍ବୋଧିତ କରିଥିଲେ। ଦେଶବ୍ୟାପୀ ଜନତା ଏହି ସଭାର ସିଧାପ୍ରସାରଣ ଦେଖିପାରିଥିଲେ।
ଏକ ସୁନା ରଙ୍ଗର କୁର୍ତ୍ତା ଓ ଧଳା ଧୋତି ପିନ୍ଧିଥିଲେ ମୋଦୀ। ୨୯ ବର୍ଷର ବ୍ୟବଧାନ ପରେ ସେ ଆଜି ଅଯୋଧ୍ୟା ଆସିଥିଲେ। ଉତ୍ସବରେ ତାଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସରସଂଘଚାଳକ ମୋହନ ଭାଗବତ ଓ ମହନ୍ତ ନିତ୍ୟଗୋପାଳ ଦାସ ମଞ୍ଚାସୀ ହୋଇଥିଲେ। ଏହି ୫ ଜଣଙ୍କ ଭିନ୍ନ ୧୭୦ ଜଣ ଅତିଥିଙ୍କୁ ମଧ୍ୟ ଏହି ଉତ୍ସବରେ ଭାଗ ନେବା ପାଇଁ ନିମନ୍ତ୍ରିତ କରାଯାଇଥିଲା।
Comments are closed.