Odisha Link
Bridging the Missing Links in Odisha

୨୯ ବର୍ଷ ପରେ ଅଯୋଧ୍ୟା ଗଲେ ନରେନ୍ଦ୍ର ମୋଦୀ

ଅଯୋଧ୍ୟା: ନିଜର ଶପଥ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୀର୍ଘ ୨୯ ବର୍ଷ ପରେ ଆଜି ଅଯୋଧ୍ୟା ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଜନତା ପାର୍ଟି (ବିଜେପି) ଗଠନର ମାତ୍ର ଗୋଟିଏ ଦଶନ୍ଧି ପରେ ହିଁ ରାମ ମନ୍ଦିର ପ୍ରସଙ୍ଗ ଏହି ଦଳକୁ ଏକ ଜାତୀୟ ପ୍ରତିଷ୍ଠା ଆଣିଥିଲା। ପୂରାତନ ରାମ ମନ୍ଦିର ଥିବା ସ୍ଥାନରେ ଷୋଡ଼ଶ ଶତାବ୍ଦୀରେ ବାବ୍ରୀ ମସ୍‌ଜିଦ୍‌ ହୋଇଛି ବୋଲି ଦାବି କରି ସେହି ସ୍ଥାନରେ ପୁନର୍ବାର ରାମ ମନ୍ଦିର ନିର୍ମାଣ ପାଇଁ ଏହି ଦଳର ନେତାମାନେ ଅଣ୍ଟା ଭିଡ଼ିଥିଲେ। ୧୯୯୧ ମସିହାରେ ଶେଷ ଥର ପାଇଁ ରାମ ଜନ୍ମଭୂମି ଆନ୍ଦୋଳନରେ ଭାଗନେବା ପାଇଁ ଅଯୋଧ୍ୟା ଆସିଥିଲେ ମୋଦୀ। ତେବେ ଅଯୋଧ୍ୟାରେ ରାମ ମନ୍ଦିର ହେଲେ ଯାଇଁ ସେ ଅଯୋଧ୍ୟା ଆସିବେ ବୋଲି ସେତେବେଳେ ପଣ କରିଥିଲେ ମୋଦୀ।

୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ହୋଇଥିଲା। ଏହି ଘଟଣା ପୂର୍ବରୁ ହିଁ ମୋଦୀ ଅଯୋଧ୍ୟା ଆସିଥିଲେ। ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣା ଦଙ୍ଗାର ସୂତ୍ରପାତ କରିଥିଲା ଯେଉଁଥିରେ ୨୦୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେବେ ଠାରୁ ରାମ ମନ୍ଦିର ନିର୍ମାଣ ଓ ବାବ୍ଣୀ ମସ୍‌ଜିଦ୍‌ ଭଙ୍ଗା ଘଟଣାକୁ ନେଇ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ବିଭେଦ ଲାଗି ରହିଥିଲା। ଏଠାରେ ଥିବା ୨.୭୭ ଏକର ଜମି ଉପରେ ଉଭୟ ପକ୍ଷ ନିଜର ଅଧିକାର ଦାବି କରି ଆସୁଥିଲେ। ପ୍ରାୟ ୩ ଦଶନ୍ଧି ପରେ ୨୦୧୯ରେ ସୁପ୍ରିମ୍‌ କୋର୍ଟ ଏକ ଐତିହାସିକ ରାୟରେ ଏହି ସ୍ଥାନକୁ ହିନ୍ଦୁମାନଙ୍କୁ ଦେଇ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏହା ହିଁ ରାମମନ୍ଦିର ନିର୍ମାଣର ପଥ ସୁଗମ କଲା।

ଆଜି ମନ୍ଦିରର ଭୂମିପୂଜା ଉତ୍ସବରେ ଯୋଗଦେବା ପାଇଁ ମୋଦୀ ଏଠାରେ ପହଞ୍ଚିଛନ୍ତି। ପ୍ରାୟ ୧୫ ମିନିଟ୍‌ର ଧର୍ମୀୟ ରୀତିନୀତି ପରେ ପ୍ରଧାନମନ୍ତ୍ରୀ ମଞ୍ଚକୁ ଯାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

Comments are closed.