ଲଘୁଚାପ ଘନୀଭୂତ, ଚାଷୀକୁଳ ଆଶ୍ୱସ୍ତ
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ମୌସୁମି ସକ୍ରିୟ ହୋଇଛି ଏବଂ ଆସନ୍ତା ଦୁଇଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବହୁ ବିଳମ୍ବରେ ଲଘୁଚାପ ସୃଷ୍ଟି ହେବା ସହିତ ବର୍ଷା ଆରମ୍ଭ ହୋଇଥିବାରୁ ଏଥିନେଇ ଚାଷୀକୁଳ ଆଶ୍ୱସ୍ତ ହୋଇଛନ୍ତି।
ଲଘୁଚାପ ପ୍ରଭାବରେ ମୌସୁମି ସକ୍ରିୟ ହୋଇଛି। ମଙ୍ଗଳବାର ଦିନସାରା ରାଜ୍ୟର ଅଧିକାଂଶ ଅଞ୍ଚଳ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସମ୍ବଲପୁରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ମଧ୍ୟ ବର୍ଷା ହୋଇଛି।
ଆଜି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଅନୁଗୋଳ, ନୂଆପଡ଼ା, ସୋନପୁର ଓ ବଲାଙ୍ଗିରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Comments are closed.