ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ, ସାର୍ଟିଫିକେଟ ସଂଶୋଧନ ପାଇଁ ନେଉଥିଲେ ଲାଞ୍ଚ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ସାର୍ଟିଫିକେଟ ସଂଶୋଧନ କରିବା ବାବଦକୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ। ମିଳିଥିବା ସୂଚନା ମୁତାବିକ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ଦନିପାରା ଗ୍ରାମର ଇନ୍ଦୁଲି ରାମ ଗଣ୍ଡଙ୍କ ଝିଅ ଦୁର୍ଗା ବତୀ ଗଣ୍ଡଙ୍କ ଦଶମ ସାର୍ଟିଫିକେଟରେ କିଛି ତ୍ରୁଟି ରହିଥିଲା। ଏହି ତ୍ରୁଟିର ସଂଶୋଧନ ନିମନ୍ତେ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଧଳଙ୍କୁ ଜଣାଇଥିଲେ । ଦଶମ ବୋର୍ଡ ସାର୍ଟିଫିକେଟରେ ନାମ ଠିକ୍ ରହି ଥିବା ବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିବା ଯୋଗୁଁ ସଂଶୋଧନ କରିବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ହେଲେ ଏଥିନିମନ୍ତେ ପ୍ରଧାନ ଶିକ୍ଷକ ଜଣକ ଦୁଇ ହଜାର ଟଙ୍କା ମାଗି ଥିଲେ ।
ଅପରପକ୍ଷେ ସେହି ଯୁବତୀ ଜଣଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଦୁଇ ହଜାର ଟଙ୍କା ଦେବା ସମ୍ଭବପର ନଥିଲା। ଫଳରେ ସେ ଏହି ବିଷୟରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ । ଅଭିଯୋଗକୁ ଗୁରୁତ୍ତ୍ୱ ଦେଇ ଭିଜିଲାନ୍ସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରି ଆଜି ଏକ ଛଅ ଜଣିଆ ଟିମ୍ ହାଟ ଭରଣ୍ଡି ସ୍ଥିତ ସରକାରୀ କାର୍ଯ୍ୟାଳୟ ଠାରେ ଚଢ଼ଉ କରିଥିଲେ ।ସମସ୍ତ ଯୋଜନା ଅନୁଯାଇ ଦୁଇ ହଜାର ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲା। ଏହା ପରେ ଭିଜିଲାନ୍ସ ପକ୍ଷରୁ ଅଫିସ ସହ ଘରର ସମସ୍ତ କାଗଜ ପତ୍ର ଯାଞ୍ଚ କରି ଥିଲେ।