ଜୀବିତ ବିଜେପି ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ବିଜେପି ନେତା ସୁସ୍ଥ ଅଛନ୍ତି। ଏଣେ ସାମାଜିକ ଗଣମାଧ୍ୟମରେ ତାଙ୍କ ପାଇଁ ମୃତ୍ୟୁଲେଖ ଲେଖି ପକାଇଲେ ବିିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଜେନା। ଏଥିପାଇଁ ମନ୍ତ୍ରୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଥିବା ବେଳେ ନିଜର ଭୁଲ ବୁଝିପାରି ସେ ନିଜର ପୋଷ୍ଟଟି ହଟାଇ ଦେଇଛନ୍ତି।
କଟକ ବାସିନ୍ଦା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଆଉ ଇହଧାମରେ ନାହାନ୍ତି ବୋଲି ଦୁଃଖପ୍ରକାଶ କରି ଆଜି ସଂଧ୍ୟାରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଛାଡ଼ିଲେ ବିଜୁ ଜନତା ଦଳ ଟାଣୁଆ ନେତା ପ୍ରତାପ ଜେନା। ସମୀର ଦେ’ଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟିହେଲା ବୋଲି ଲେଖିବା ସହ ତାଙ୍କ ପରିବାରବର୍ଗଙ୍କ ପାଇଁ ବି ସମବେଦନା ଜଣାଇ ସାରିଥିଲେ ଶ୍ରୀ ଜେନା।
ତେବେ ଅନୁସନ୍ଧାନରୁ ଜଣାପଡ଼ିଲା, ସମୀର ଦେ ନୁହନ୍ତି ବରଂ ସମୀର ଦା’ ନାମକ କଟକର ଆଉ ଜଣେ ବ୍ୟକ୍ତିଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ମୃତକଙ୍କ ପ୍ରକୃତ ନାମ ସମୀର ବିଶ୍ବାସ ହୋଇଥିବା ବେଳେ ସେ ସମୀର ଦା’ ନାମରେ ପରିଚିତ। ଦା’କୁ ଦେ’ ମନେକରି ଆଇନ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ଘଟଣାର ସତ୍ୟାସତ୍ୟ ନ ପରଖି ପୋଷ୍ଟ ଟି ଲେଖି ଦେଇଥିଲେ। ସାମାଜିକ ଗଣମାଧ୍ୟମରୁ ସତ୍ୟ ଜାଣିବା ପରେ ସେ ନିଜର ପୋଷ୍ଟ ହଟାଇ ନେଇଛନ୍ତି।