Odisha Link
Bridging the Missing Links in Odisha

ବିଜେପି ନେତାଙ୍କ ଘରୁ ୧୮ କୋଟି ଟଙ୍କାର ସୁନା ଜବତ କଲା ନେପାଳ ପୁଲିସ

ପାଟନା: ଭାରତ ଭିତରେ ପଶି ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘରୁ ୨୩ କିଲୋଗ୍ରାମ୍‌ ସୁନା ବିସ୍କୁଟ୍‌ ଜବତ କରିଛି ନେପାଳ ପୁଲିସ। ଏହାର ବଜାର ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ। ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ସୁନା ଚାଲାଣ ହୋଇତିବା ନେଇ ସନ୍ଦେହ ଉଠିଥିବା ବେଳେ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସଂପୃକ୍ତ ବିଜେପି ନେତା।

ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପିର ରାକ୍‌ସାଉଲ ପ୍ରାର୍ଥୀ ପ୍ରମୋଦ ସିହ୍ନାଙ୍କ ଭାଇ ଅଶୋକ ସିହ୍ନା ରହୁଥିବା ଫ୍ଲାଟ୍‌ରୁ ନେପାଳ ପୁଲିସ ଏହି ସୁନା ଜବତ କରିଛି। ଅଶୋକ ଜଣେ କଷ୍ଟମ୍‌ ଅଧିକାରୀ ହୋଇଥିବା ବେଳେ ବିହାର କଷ୍ଟମ୍‌ ନାକା ଗେଟ୍‌ରେ କାର୍ଯ୍ୟ କରନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ନେପାଳ ପର୍ସା ଜିଲ୍ଲା ପୁଳିସ ମୁଖ୍ୟ ଗଙ୍ଗା ପନ୍ତ କହଛନ୍ତି ଯେ ରାକ୍‌ସାଉଲର ଗଣେଶ ଆପାର୍ଟମେଣ୍ଟ ସ୍ଥିତ ଅଶୋକଙ୍କ ଭଡ଼ାଘରୁ ଗୋଟିଏ ନୀଳ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଲୁଚା ହୋଇ ରହିଥିବା ୨୩ କେଜି ସୁନା ବିସ୍କୁଟ ଓ କିଛି ରୂପା ଜବତ କରାଯାଇଛି। ଅନ୍ୟପଟେ ନେପାଳ ପର୍ସା ଅଞ୍ଚଳରେ ମିଳୁଥିବା ସୁନା ବେଶ୍‌ ନିର୍ଭେଜାଲ ଓ ଜବତ ସୁନାର ବଜାର ଦର ପ୍ରାୟ ୧୮ କୋଟି ଟଙ୍କା ହେବ ବୋଲି ଆକଳନ କରିଛନ୍ତି ପର୍ସା ସ୍ଥିତ ସୁନା ଓ ରୁପା ବ୍ୟବସାୟୀ ସଂଘର ସଭାପତି ନିରଜ କୁମାର ସରାଫ। ଅଶୋକଙ୍କୁ ଗିରଫ କରିବା ପାଇଁ ନେପାଳ ପୁଲିସ ଭାରତୀୟ ଦୂତାବାସର ସହାୟତା ଲୋଡ଼ିଛି।

ଏ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦଙ୍କୁ ସନ୍ଦେହ ଘେରକୁ ଟଣାଯାଉଥିବା ବେଳେ ସେ ଏହି ରେଡ୍‌କୁ ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି। ଏହା ବାଦ୍‌ ୧୫ ବର୍ଷ ତଳୁ ଅଶୋକଙ୍କ ଠାରୁ ସେ ଅଲଗା ରହୁଛନ୍ତି ଓ ଚଢ଼ାଉ ହୋଇଥିବା ଘର ସହ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି ପ୍ରମୋଦ ସଫେଇ ଦେଇଛନ୍ତି।