ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ମୁହାଁ ମୁହିଁ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ କରିଥିଲେ। ଆଜି ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି।
ପୁଲିସ ଓ ଯବାନମାନେଙ୍କ ସର୍ଚ ଅପରେସନ୍ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ନକ୍ସଲ ଗତିବିଧି ବଢିବାରେ ଲାଗିଛି। ସମାନ୍ତରାଳ ଭାବେ ପୁଲିସ ମଧ୍ୟ ନକ୍ସଲଙ୍କୁ ସ୍ବାଭିମାନ ଅଂଚଳରୁ ତଡିବା ପାଇଁ କମ୍ବିଂ ଜୋରଦାର କରୁଛି।
ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏସଓଜି ଏବଂ ବିଏସଏଫ( ବାଟାଲିୟନ୍-୯)ର ଯବାନ ମିଳିତ ଭାବେ ଚଢଉ କରିଥିଲେ। ଯବାନମାନେ ଯଡାମ୍ବ ଥାନା ଅନ୍ତର୍ଗତ ମୁକୁଡିପାଲୀ, ଗୋରାସେତୁ,ବେଜିଂ,ଜମ୍ପଲୁରୁ, ପାରଲୁବନ୍ଧ ଗ୍ରାମ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକଗୁଡିକ ଜବତ କରିଥିଲେ।