Odisha Link
Bridging the Missing Links in Odisha

ଫିଲ୍ମୋତ୍ସବରେ ସାମିଲ ହେବ ସିନେମା ‘ହ୍ୟୁମେନ ଓକ’

ଟିଟିଲାଗଡ଼: ଗୌରବ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ସିନେମା ‘ହ୍ୟୁମେନ ଓକ’ ମର୍ଯ୍ୟାଦାଜନକ ଗ୍ରୀସରେ ପ୍ରଦର୍ଶିତ ହେବାକୁ ଆନୁଷ୍ଠାନିକ ଭାବରେ ଚୟନ ହୋଇଛି। ଚଳଚ୍ଚିତ୍ରଟିର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ୧୦ତମ ଫେଷ୍ଟିଭଲ ଅଫ ଡିପ୍ଲୋମେସି ଅବସରରେ ରୋମର କମନୱେଲ୍‌ଥ କ୍ଲବରେ ନଭେମ୍ବର ୨୮ରୁ ଡିସେମ୍ବର ୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।  ଏହି ଫିଲ୍ମୋତ୍ସବ ରେ ୪୭ଟି ଦେଶର ୯୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

କରୋନା ମହାମାରୀ ସମୟରେ ଖ୍ୟାତନାମା ଇଟାଲିଏନ ନିର୍ଦ୍ଦେଶକ ଉଲିସେ ଲିନାର୍ଡୋ ତଥା ଜିତେନ୍ଦ୍ରଙ୍କ ପ୍ରଯୋଜନାରେ ନିର୍ମିତ ୧୫ ମିନିଟ ଅବଧିର କ୍ଷୁଦ୍ର ସିନେମାଟି ଉତ୍ସବର ପ୍ରତିଯୋଗିତା ବିଭାଗରେ ପ୍ରଦର୍ଶନ ପାଇଁ ଉତ୍ସବର ନିର୍ଦ୍ଦେଶକ ଡିମିଟ୍ରିସ ସ୍ପାରୋଙ୍କ ଦ୍ୱାରା ଚୟନ ହୋଇଛି। କୋଭିଡ ୧୯ ମହାମାରୀ ସମୟରେ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲରେ ଇଟାଲିରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି।

ବିଶ୍ୱରେ ମହାମାରୀ ସମ୍ପର୍କିତ ପର୍ସି ବିଶେ ସେଲିଙ୍କ କବିତା ‘ଅଡ୍‌ ଟୁ ଦି ୱିଣ୍ଡ’, ତାଙ୍କ ଜୀବନୀ ତଥା ଭାରତ ଓ ମହାତ୍ମା ଗାନ୍ଧୀ, ରବିନ୍ଦ୍ରନାଥ ଟାଗୋରଙ୍କ ସମ୍ପର୍କରୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ପ୍ରେରିତ ହୋଇଥିବା ନିର୍ଦ୍ଦେଶକ ତଥା କାହାଣୀର ରଚୟିତା ଲିନାର୍ଡୋ କହିଛନ୍ତି। ପ୍ରଥମ ଇଣ୍ଡୋ ଇଟାଲି ଚଳଚ୍ଚିତ୍ର ନିର୍ମାଣ ଯୋଜନା ନେଇ ଜିତେନ୍ଦ୍ରଙ୍କ ସହଯୋଗ ତଥ ଏହାର ଆନ୍ତର୍ଜାତୀୟ ସ୍ୱୀକୃତି ନେଇ ଆମେ ଖୁବ ଉତ୍ସାହିତ ବୋଲି ନିର୍ଦ୍ଦେଶକ କହିଛନ୍ତି।

କରୋନା କାଳରେ ମାନବ ଜୀବନର ସଂଗ୍ରାମ, ମାନବିକ ସମ୍ପର୍କକୁ ନେଇ ଚଳଚ୍ଚିତ୍ରଟିରେ ନିଖୁଣ ଭାବରେ ନିର୍ମିତ ହୋଇଛି। ଦି ପ୍ଲୁର ଆୱାର୍ଡ ବିଜେତା ମାସିମୋ କାଟିନି ପାରିନିି ଚଳଚ୍ଚିତ୍ରଟିର କଷ୍ଟ୍ୟୁମ ଡିଜାଇନ କରିଥିବା ବେଳେ ପୂର୍ବତନ ମିସ ଇଟାଲି ତଥା ଇଟାଲିର ଆଗଧାଡିର ଅଭିନେତ୍ରୀ ଆନ୍ନା ଭଲେ ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି।

ଟିଟିଲାଗଡ ମାଟିରେ ଜନ୍ମିତ ଜିତେନ୍ଦ୍ର ସମାଜକୁ ଏକ ସକାରାତ୍ମକ ସନ୍ଦେଶ ଦେବା ଭଳି ଭିନ୍ନ ଶୈଳୀର ଚଳଚ୍ଚିତ୍ର ନିର୍ମାଣ, ବିତରଣ, ପ୍ରୋତ୍ସାହନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଅଦ୍ୟାବଧି ବିଭିନ୍ନ ବିଭାଗରେ ଜିତେନ୍ଦ୍ର ଶହେଟି ଚଳଚ୍ଚିତ୍ର ନିର୍ମାଣ ତଥା ବିତରଣ କ୍ଷେତ୍ରରେ ଜଡିତ ରହି ପ୍ରସିଦ୍ଧି ଲାଭ କରିଛନ୍ତି।

ତାଙ୍କ ପ୍ରଯୋଜନା ତଥା ଖ୍ୟାତିପ୍ରାପ୍ତ ନିର୍ଦ୍ଦେଶକ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶନାରେ ନୀନା ଗୁପ୍ତାଙ୍କ ଅଭିନୀତ ‘ଦି ଲାଷ୍ଟ୍‌ କଲର’ ୫୦ଟି ଆନ୍ତର୍ଜାତୀୟ ଫିଲ୍ମୋତ୍ସବରେ ପ୍ରଦର୍ଶିତ ହେବା ସହ ୧୫ଟି ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଛି। ୨୫ଟି ଆନ୍ତର୍ଜାତୀୟ ଫିଲ୍ମୋତ୍ସବରେ ଜିତେନ୍ଦ୍ର ଜୁରି ସଦସ୍ୟ ଭାବରେ ନିମନ୍ତ୍ରୀତ ହୋଇଛନ୍ତି।

Comments are closed.