Odisha Link
Bridging the Missing Links in Odisha

ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ନିରଞ୍ଜନ

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି।

ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ତେବେ ଭାରତ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, କଂଗ୍ରେସ ଚାଷୀଙ୍କ ସହ ଅଛି। ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି। ଜିଲ୍ଲାସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରାଯିବ। ନୂଆ ଆଇନରେ ଚାଷୀଙ୍କ ପ୍ରଚୁର କ୍ଷତି ହୋଇଛି। ବିଜେଡି ଓ ବିଜେପି ଛଡ଼ା ଆଉ ସମସ୍ତେ ଏହାକୁ ସମର୍ଥନ ଜଣାଉଛନ୍ତି ବୋଲି କହିବା ସହ ଏହି ବନ୍ଦରେ ବିଜେଡି ସାମିଲ ନହେବାକୁ ନେଇ ବି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି। ଅଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ। ବିଜେଡି ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି।

Comments are closed.