Odisha Link
Bridging the Missing Links in Odisha

କୃଷକଙ୍କ ଆଜି ୯ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ : ସୋମବାର ଦିନ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଅନଶନ ବସିବେ। ଏହା କୃଷକ ନେତା ଗୁରନାମ ସିଂହ ଚାନ୍ଦୁନି କହିଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିବେ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଏହି ଅନଶନ ପାଳନ କରାଯିବ।

ପଞ୍ଜାବ-ହରିୟାଣା ସିଂଘୁ ସୀମାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଚାନ୍ଦୁନି କହିଛନ୍ତି ଯେ ସମସ୍ତ ସଂଗଠନର ନେତାମାନେ ନିଜ ନିଜ ସ୍ଥାନରେ ଅନଶନରେ ବସିବେ। ଏହା ସହିତ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ସେ କହିଛନ୍ତି ଯେ, କେତେକ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିନେବା ସହ ସରକାରଙ୍କ ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି। ତେବେ ଏପରି ସମର୍ଥନ କରିଥିବା କୃଷକ ସଂଗଠନଗୁଡିକ ସେମାନଙ୍କ ସହିତ ନଥିଲେ ବୋଲି ଚାନ୍ଦୁନି କହିଛନ୍ତି। ସେ କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାର ଷଡଯନ୍ତ୍ର କରିଛନ୍ତି।

ଅନ୍ୟତମ କୃଷକ ନେତା ଶିବ କୁମାର କାକ୍କା କହିଛନ୍ତି ଯେ ଆନ୍ଦୋଳନକାରୀ କୃଷକଙ୍କୁ ଦିଲ୍ଲୀ ଆସିବାକୁ ପ୍ରଶାସନ ଅନୁମତି ଦେଉ ନାହିଁ। ତେବେ ଆମେ ଆମର ଆନ୍ଦୋଳନ ଅବ୍ୟାହତ ରଖିବୁ। ତିନି କୃଷି ଆଇନକୁ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ସମସ୍ତ କୃଷକ ସଂଗଠନ ଏବେ ଏକଜୁଟ୍ ଅଛନ୍ତି। ଭାରତ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ସରକାର ଯଦି ଆଲୋଚନା ଲାଗି ଆଉ ଏକ ପ୍ରସ୍ତାବ ଦିଅନ୍ତି ​‌ତେବେ ଆମେ ଏହା ଉପରେ ବିଚାର କରିବୁ। ଅନ୍ୟତମ କୃଷକ ନେତା ସନ୍ଦୀପ ଗିଡ୍ଡେ କହିଛନ୍ତି ଯେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନାହାର ଅନଶନ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ବାତିଲ କରାଯାଇ ଦିନିକିଆ ଅନଶନ ପାଇଁ ନିଷ୍ପତ୍ତି ହୋଇଛି।

କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଅନଶନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମର୍ଥନ କରିଛନ୍ତି। କୃଷକଙ୍କୁ ସମର୍ଥନ ଜଣାଇ ସୋମବାର କେଜରିୱାଲ ମଧ୍ୟ ଉପବାସରେ ରହିବେ। ଏପରିକି ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନଶନ ପାଳନ କରିବାକୁ କେଜରିୱାଲ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ଯେ କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ଗ୍ରହଣ କରିନେବା ଉଚିତ।

Comments are closed.