ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରି ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। କୋରାପୁଟରେ ୧୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।
ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକରେ କୁହୁଡ଼ି ଦେଖିବାକୁ ମିଳିଛି ସେପଟେ ରାୟଗଡ଼ା, କନ୍ଧମାଳ, କୋରାପୁଟ୍, ମାଲକାନଗିରି ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇଛି।
ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ। ଉପାନ୍ତରୁ ଉପକୂଳ ସବୁଠି ଥରେଇବ ଶୀତ। ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା। ରାଜଧାନୀ ଭୁବନେଶ୍ବର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ। ଉପକୂଳ ଓଡ଼ିଶାରର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସିବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ଡିଗ୍ରି ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବୌଦ୍ଧ, ମୟୂରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।