Odisha Link
Bridging the Missing Links in Odisha

ପୁଣି ଜଣେ ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇ ଯାଉଛନ୍ତି କଅଁଳ ଶିଶୁ। କିଏ ମାସ ମାସ ଧରି ନିଖୋଜ ରହୁଛି ତ କାହାର ମୃତଦେହ ମିଳୁଛି। ଆଜି ପୁଣି ଜଣେ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଗତକାଲି ୩ ବର୍ଷର ଶିଶୁ ପୁତ୍ର ନିଖୋଜ ହୋଇଯାଇଥିଲା। ଆଜି ଘର ସାମ୍ନାରେ ଥିବା ଏକ କୂଅରୁ ମିଳିଛି ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ।

ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ମିଳି ନଥିଲା। ନିଖୋଜର ୧୨ ଘଣ୍ଟା ପରେ ଆଜି ସକାଳୁ ଏକ କୂଅରୁ ମିଳିଲା ଶିଶୁ ପୁତ୍ରର ମୃତଦେହ। ମୃତଦେହର ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ କୂଅରୁ ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Comments are closed.