Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସ୍ଥାୟୀ ଭାବେ ବନ୍ଦ

ଓ୍ବାଶିଂଟନ୍: ଆମେରିକାର ସଂସଦ ଭବନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ବାରା ବୁଧବାର ବ୍ୟାପକ ହିଂସା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଡ୍ରୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସୋଶିଆଲ ମିଡିଆ ପ୍ଲାଟ୍‌ଫର୍ମର ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ‘ଟ୍ୱିଟର’ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ଶୁକ୍ରବାର ରାତିରୁ ଟ୍ବିଟର କମ୍ପାନୀ ପକ୍ଷରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ନିକଟରେ ଆମେରିକାରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଥାଉକି, ପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ଏବଂ କମ୍ପାନୀ ଏବେ ଆଗକୁ ସବୁଦିନ ପାଇଁ ତାଙ୍କ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦେଇଥିଲା। ଏପରିକି ଗତ ବୁଧବାର ୧୨ ଘଣ୍ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିବା ସହ ଗୋଟିଏ ଭିଡିଓ ଏବଂ ତିନୋଟି ଟ୍ୱିଟ୍କୁ ହଟାଇ ଦେଇଥିଲା କମ୍ପାନୀ। ତାଙ୍କ ଆକାଉଣ୍ଟକୁ ରିଭ୍ୟୁ କରିବା ପରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କହିଥିଲା। ଟ୍ରମ୍ପ ବାରମ୍ବାର ତାଙ୍କ ନିୟମ ଭଙ୍ଗ କରୁଥିବା ଟ୍ୱିଟର କହିଛି। ସୂଚନାଯୋଗ୍ୟ, ସ୍ଥାୟୀ ଭାବେ ବନ୍ଦ ହେବା ପୂର୍ବରୁ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟରେ ୮.୮୭ କୋଟି ଫଲୋର୍ସ ଥିବାବେଳେ ଟ୍ରମ୍ପ୍‌ ୫୧ ଜଣଙ୍କୁ ଫଲୋ କରୁଥିଲେ।

ସେହିପରି ଫେସ୍ବୁକ୍ ମଧ୍ୟ ବୁଧବାର ଦିନ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା। ଫେସ୍ବୁକ୍‌ର ସଂସ୍ଥାପକ ମାର୍କ ଜୁକରବର୍ଗ ଗୁରୁବାର ଦିନ ଏ ନେଇ କହିଥିଲେ ଯେ, ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଦେଶର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମକୁ ବ୍ୟବହାର କରିପାରିବେ ନାହିଁ।

Comments are closed.