Odisha Link
Bridging the Missing Links in Odisha

ଟୀକାକରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଜାନୁଆରୀ ୧୬ ତାରିଖରେ ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ। ଯେଉଁଥିପାଇଁ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି। ଏହି ବୈଠକରେ କରୋନା ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିବା ସମ୍ଭାବନା ରହିଛି।

ଏହି ବୈଠକ ବେଶ୍‌ ଗୁରୁତ୍ୱ ବହନ କରୁଛି। ପ୍ରଥମ ପର୍ଯ୍ୟାୟରେ କେଉଁ ରାଜ୍ୟ କେତେ ଟିକା ପାଇବେ, ତା ଉପରେ ରହିପାରେ ଆଲୋଚନା ହୋଇପାରେ। ଦୁଇଟି କୋଭିଡ ଟିକାର ଉପଲବଧି ପରିମାଣ ସହ ରାଜ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇ କେତେ ଟିକା ମିଳିବା କଥା, ମୁଖ୍ୟମନ୍ତ୍ରୀମାନେ ପ୍ରସ୍ତାବ ରଖିପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବେ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୭ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ଦିଆଯିବ। ଦେଶର କୋଣ ଅନୁକୋଣରେ କରୋନା ଟିକା ପହଞ୍ଚାଇବା ପାଇଁ ସରକାର ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ ରଖିଛନ୍ତି। ମୋଟ ୨୯୦୦୦ କୋଲ୍‌ଡ ଚେନ୍‌ କେନ୍ଦ୍ର ପ୍ରସ୍ତୁତ ରହିଛି। ପରିବହନ ପାଇଁ ୨୪୦ଟି ୱାକ୍‌ ଇନ୍‌ କୁଲର, ୭୦ଟି ୱାକ୍‌ ଇନ୍‌ ଫ୍ରିଜର, ୪୫ ହଜାର ରେଫ୍ରିଜେରେଟର, ୪୧ ହଜାର ଡିପ୍‌ ଫ୍ରିଜର୍‌ ଆଦି ବ୍ୟବସ୍ଥା କରାଯାଇଛି।

ସେରମ୍ ଇନଷ୍ଟିଚ୍ୟୁଟ ସହ ଆଲୋଚନା ବେଳେ ଓଡ଼ିଶାକୁ ଟିକା ପ୍ରଦାନରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ଓଡ଼ିଶାର ୩ ଲକ୍ଷ୨୮ ହଜାର ୬୫୦ ସ୍ୱାସ୍ଥ୍ୟ କର୍ମୀ ଚିହ୍ନଟ ହୋଇଛନ୍ତି। ଟୀକାକରଣକୁ ସୂଚାରୁ ରୁପେ ତୁଲାଇବା ପାଇଁ ନିକଟରେ ଦେଶର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ଚାଲିଥିଲା। ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ହୋଇଛି।

ଟିକାକରଣ ନିମନ୍ତେ ପଂଜୀକରଣ କରାଇବାକୁ ସ୍ବତନ୍ତ୍ର ଆପ୍‌ ଏବଂ ପୋର୍ଟାଲ ପ୍ରସ୍ତୁତ ହୋଇଛି। ଟିକା ଲଗାଇବାକୁ ଚାହୁଥିବା ବ୍ୟକ୍ତିମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ଅତି ସହଜରେ ଏଥିରେ ସାମିଲ ହୋଇପାରିବେ। ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର୍‌ ପରିଚରପତ୍ର ଏବଂ ପାନ୍‌ କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ ହେବ। ଏହା ବ୍ୟତୀତ ପାସ୍‌ପୋର୍ଟ, ଜବ୍‌ କାର୍ଡ, ପେନ୍‌ସନ ଦସ୍ତାବିଜ, ମନରେଗା କାର୍ଡ, ବ୍ୟାଙ୍କ୍‌ କିମ୍ବା ପୋଷ୍ଟ୍‌ ଅଫିସ୍‌ ପାସ୍‌ ବୁକ୍‌କୁ ମଧ୍ୟ ରେଜିଷ୍ଟ୍ରେସନ ପାଇଁ ବ୍ୟବହାର କରାଯାଇ ପାରିବ।

Comments are closed.