Odisha Link
Bridging the Missing Links in Odisha

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେପିରେ ବିଭେଦ

ଭବାନୀପାଟଣା: ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ। ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ମଧ୍ୟରେ ତିକ୍ତତା। ଗତ ୧୪ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ପରେ ଜିଲ୍ଲା ବିଜେପିରେ ଥିବା ଫାଟ ପଦାରେ ପଡ଼ିଛି। ରାଜ୍ୟ ବିଜେପିର ଏହି ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍‌ ଜଣା ପଡ଼ୁଛି।

ଜାନୁଆରୀ ୧୪ ତାରିଖରେ କଳାହାଣ୍ଡିରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କହି ପ୍ରଦୀପ୍ତ ଏହାକୁ ବର୍ଜନ ଓ ସମାଲୋଚନା କରିଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନିମନ୍ତ୍ରିତ ଅତିଥି ଭାବେ ମଞ୍ଚ ଉପରେ ବସିଥିବା ଦେଖିବାକୁ ମିଳିଥିଲା। ଦଳୀୟ କର୍ମୀମାନେ ଏହାକୁ ଦେଖି ଦ୍ବନ୍ଦ୍ବରେ ପଡ଼ିଥିଲେ। ଉଭୟଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏଥିପାଇଁ ସେମାନେ ନିଜ ନିଜର କୋଭିଡ୍ ପରୀକ୍ଷା ବି କରାଇଥିଲେ। ତେବେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ମଞ୍ଚ ତିଆରିକୁ ସାମନ୍ତବାଦ ଚିନ୍ତାଧାରା କହି ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଅନ୍ୟପଟେ ସାଂସଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହି ଘଟଣାରେ ବିଜେପି କର୍ମୀ ଦ୍ୱନ୍ଦ୍ବରେ ପଡ଼ି ଯାଇଛନ୍ତି। ଏଥିସହ ପ୍ରଦୀପ୍ତ ଓ ବସନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ଚାଲିଥିବା ଶୀତଳ ଯୁଦ୍ଧ କଥା ବି ପଦାରେ ପଡ଼ିଛି।

ବସନ୍ତ ପଣ୍ଡା ୨୦୧୯ ନିର୍ବାଚନରେ ପ୍ରଦୀପ୍ତଙ୍କ ଘୋର ବିରୋଧୀ ଭାବେ କଳାହାଣ୍ଡିରେ ପରିଚିତ ହୋଇଛନ୍ତି। କଳାହାଣ୍ଡି ଯୁବମୋର୍ଚ୍ଚା ସଭାପତି ଭାବେ ପ୍ରଦୀପ୍ତ ତାଙ୍କର ସହଯୋଗୀ ପ୍ରତାପ ବାଗଙ୍କ ନାମକୁ ସୁପାରିସ୍‌ କରିଥିବା ବେଳେ ତାଙ୍କ ବିରୋଧୀ ଗୋଷ୍ଠୀ ବିରଞ୍ଚି ରଥଙ୍କ ନାମକୁ ସୁପାରିସ କରିଥିଲେ। ବହୁ ବିଳମ୍ବରେ ସନ୍ତୋଷ ଦାସଙ୍କ ନାମ ଯୁବମୋର୍ଚ୍ଚା ସଭାପତି ଭାବେ ଘୋଷଣା ହୋଇଥିଲା। ସେହିପରି ପ୍ରଦୀପ୍ତ ଗତ ୨୦୧୯ ନିର୍ବାଚନରେ ପୁନର୍ବାର ଲୋକସଭା ଆସନରୁ ପ୍ରାର୍ଥୀ ହେବାପାଇଁ ଚାହୁଥିବା ବେଳେ ବସନ୍ତ ପଣ୍ଡା ତାଙ୍କ ବାଟ ଓଗାଳି ଥିଲେ।

ସେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇ ନିଜେ ଲୋକସଭା ପ୍ରାର୍ଥୀ ହୋଇଥିଲେ। ଏହି ଘଟଣାରେ ପ୍ରଦୀପ୍ତ କ୍ଷୁବ୍ଧ ହୋଇ ବିଜେପି ଛାଡ଼ି ବିଜେଡିରୁ ଲୋକସଭା ପ୍ରାର୍ଥୀ ହେବାପାଇଁ ଉଦ୍ୟମ କରିଥିବା କଥା ଚର୍ଚ୍ଚା ହୋଇଥିଲା। କିନ୍ତୁ ଶେଷରେ ସେ ଭବାନୀପାଟଣା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ସହ ରାଜ୍ୟ ବିରୋଧୀ ଦଳ ନେତା ହୋଇଥ‌ିଲେ। ସେପଟେ ବସନ୍ତ ପଣ୍ଡା ମଧ୍ୟ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ଗତ ୧୪ ତାରିଖ ଦିନ ବସନ୍ତ ବାବୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱରରେ ରହି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସାମ୍ବାଦିକ ସମ୍ମିଳନୀ ଡାକି କଡ଼ା ଭାଷାରେ ସମାଲୋଚନା କରିବା ଘଟଣା ତିକ୍ତ ସଂପର୍କକୁ ପ୍ରମାଣିତ କରୁଛି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି।

Comments are closed.