Odisha Link
Bridging the Missing Links in Odisha

ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା: ବିଜେପି

ଭୁବନେଶ୍ୱର: ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ତମ ପୂର୍ଣ୍ଣତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି। ବିଜେପି ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲଜୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଦଳୀୟ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ।

ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଙ୍କ ଏକ ଅଭୂତପୂର୍ବ ସଫଳତା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନାକୁ ଆଧାର କରି କାର୍ଯ୍ୟ କରିଥିଲେ। ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ ଅନ୍ତୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି। ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରୀବ ଓ ଆର୍ଥିକ ଅନଗ୍ରସଙ୍କ ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି। ଦୀନଦୟାଲଜୀଙ୍କ ଭଳି ଆମ୍ଭେମାନେ ସଂପୂର୍ଣ୍ଣ ସମର୍ପଣ ଭାବ ସହ ରାଷ୍ଟ୍ରହିତ ଓ ସମାଜହିତ କାର୍ଯ୍ୟରେ ନିଜକୁ ଗଢି ତୋଳିବା ଉଚିତ୍ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ। ପରବର୍ତୀ ସମୟରେ ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଞ୍ଚନିଷ୍ଠାରେ ସ୍ଥାନୀତ କରିଛି । ବାଲ୍ୟାବସ୍ଥାରୁ ଦୁଃଖକଷ୍ଟରେ ଜୀବନ ବିତାଇଥିବା ଦୀନଦୟାଲଜୀ ସର୍ବଦା ନିଜକୁ ସମାଜ ସେବାରେ ଜଡିତ ଥିଲେ। ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଏବଂ ସମାଜର ଅବେହେଳିତ ବ୍ୟକ୍ତିମାନଙ୍କ ପ୍ରତି ଦୀନଦୟାଲଜୀଙ୍କ ସଂକଳ୍ପବଦ୍ଧତାକୁ ବିଜେପି ନେତୃବୃନ୍ଦ ସ୍ମରଣ କରିଥିଲେ।

ଦୀନଦୟାଲଙ୍କ ଏକାତ୍ମ ମାନବବାଦ, ଆଜି ଭାରତୀୟ ରାଜନୀତିରେ ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ। ଦୀନଦୟାଲ ଯେତେବେଳ ରାଜନୀତିରେ ସକ୍ରିୟ ଥିଲେ ସେତେବେଳେ ସାଂପ୍ରତିକ ରାଜନୀତିରେ କଂଗ୍ରେସ ଓ ବାମପନ୍ଥୀ ବିଚାରକୁ ପ୍ରତିହତ କରି ଜନସଂଘର ବିଚାରକୁ ଜନମାନସରେ ସ୍ଥାନୀତ କରିବାରେ ତାଙ୍କ ଭୂମିକା ଅତୁଳନୀୟ। ସମର୍ପଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଶୁଣିବା ସହ ଦୀନଦୟାଲଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ମାନସ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସଜ୍ଜନ ଶର୍ମାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Comments are closed.