Odisha Link
Bridging the Missing Links in Odisha

ଆଜି ଓଡ଼ିଶା ବନ୍ଦ, ରାଜଧାନୀରେ ଏହାର ପ୍ରଭାବ

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ। କଂଗ୍ରେସ ପକ୍ଷରୁ ଏହି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଲଗାତାର ତୈଳ ଦର ବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ବନ୍ଦରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି।

ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାଜଧାନୀରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ଓ ଅଟକି ରହିଛି ଶହ ଶହ ଗାଡ଼ି। ସେହିପରି ଭୁବନେଶ୍ୱର ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ରେଳ ରୋକ କରାଯାଇଛି। ସେହିପରି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରଖିଛି ବସ୍ ମାଲିକ ସଂଘ। ମୋ ବସ୍ ସେବାକୁ ମଧ୍ୟ ଦିନ ୨ଟା ଯାଏଁ ବନ୍ଦ ରଖାଯାଇଛି।

ଏହି ବନ୍ଦରେ ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ବାଦ୍ ଦିଆଯାଇଛି। ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡ଼ିକୁ ବି ବନ୍ଦରୁ ବାଦ୍ ଦିଆଯାଇଛି। ଛାତ୍ରାଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ସହିତ ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ବୃଦ୍ଧି, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ବନ୍ଦ ପାଳନ କରୁଛି କଂଗ୍ରେସ। ମାହାଙ୍ଗା ହତ୍ୟାକାଣ୍ଡ, କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ଓ ମହାନଦୀ ପ୍ରସଙ୍ଗରେ ବି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.