Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀମାନେ ମାନସିକ ଚାପରୁ ଦୂରେଇ ରହିବା ଉଚିତ୍‌: ପ୍ରଫେସର ଅଶୋକ

ଭୁବନେଶ୍ୱର : ତାମିଲନାଡୁ ରାଜ୍ୟ ବୋର୍ଡରେ ପ୍ଲସ୍ ୨ ପରୀକ୍ଷାରେ ଟପ୍ପର ହୋଇଥିବା ୧୭ ବର୍ଷୀୟ ସାମ୍‌ମୁଗନ୍ ଅନିତା ୩ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ । ମେଡିକାଲ୍ କଲେଜରେ ସିଟ୍‌ ଟିଏ୍ ମିଳି ନଥିବା ତାଙ୍କ ଆତ୍ମହତ୍ୟାର କାରଣ ଥିଲା । ପ୍ଲସ୍ ୨ ପରୀକ୍ଷାରେ ମୋଟ ୧୨୦୦ ମାର୍କରୁ ୧୧୭୬ ମାର୍କ ହାସଲ କରିଥିବା ଏହି ବିଚକ୍ଷଣ ଛାତ୍ରୀଜଣଙ୍କର ଆତ୍ମହତ୍ୟାର କାରଣ ଥିଲା ତାଙ୍କର ଡାକ୍ତର ହେବା ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ।

ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏହି ଦୁଃଖଦ ପ୍ରସଙ୍ଗକୁ ମନେ ପକାଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର । ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିଗଲା ବୋଲି ଆତ୍ମହତ୍ୟା କରିବା କ’ଣ ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି ପ୍ରଫେସର ମହାପାତ୍ର।

ସ୍ୱପ୍ନକୁ ସାକାର କରିବା ଏବଂ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ଭଳି ମାମଲା ପ୍ରତ୍ୟେକ ଦିନ କିଛି ନା କିଛି ଦେଖିବାକୁ ମିଳୁଛି ବୋଲି ଗତ ଶନିବାର ସୋଆ ଠାରେ ଅନୁଷ୍ଠିତ ପ୍ରଥମ ସୋଆ ଫୋର୍ଟନାଇଟ୍‌ଲି ଏକାଡେମିକ୍ ଲେକ୍‌ଚର୍ (ସୋଫଲ୍‌)ରେ ଏହି ପ୍ରସଙ୍ଗ ଉଠାଇଛନ୍ତି ପ୍ରଫେସର ମହାପାତ୍ର। ଜଣେ ବୁଝିବା ଦରକାର ଯେ ମେଡିକାଲ୍‌ରେ ସିଟ୍‌ଟିଏ ନ ମିଳିବା କିଛି ବଡ କଥା ନୁହେଁ।

ନିଜର ଦକ୍ଷତା ଓ ଜ୍ଞାନର ପାରଦର୍ଶିତା ଦେଖାଇବା ପାଇଁ ଆହୁରି ଅନେକ ଉପାୟ ଅଛି ବୋଲି କହିବା ସହ ଏହି କଥାକୁ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିତାମାତା ଯେଉଁମାନେ କି ନିଜ ପିଲାଙ୍କ ଉପରେ ନିଜର ନିଷ୍ପତି ଲଦି ଦେଉଛନ୍ତି ହୃଦୟଙ୍ଗମ କରିବା ଦରକାର ବୋଲି ସେ କହିଛନ୍ତି।

ଆଲୋଚନାର ବିଷୟବସ୍ତୁ ଥିଲା ‘ସୁସ୍ଥ ଜୀବନଶୈଳୀ’। ଏହି ପ୍ରସଙ୍ଗକୁ ଆଧାର କରି ସୋଆ କୁଳପତି କହିଥିଲେ ଯେ ଜୀବନରେ ସଫଳତା ପାଇବା ନିମନ୍ତେ ଚିନ୍ତାଗ୍ରସ୍ତ ରହୁଥିବା ଯୁବପୀଢ଼ିଙ୍କର ମାନସିକ ସ୍ଥିତିକୁ ନଜରରେ ରଖି କେନ୍ଦ୍ରସରକାର ୨୦୦୫ରେ ନ୍ୟାସ୍‌ନାଲ୍ ମେଂଟାଲ୍ ହେଲ୍‌ଥ ପ୍ରୋଗ୍ରାମ ଆରମ୍ଭ କରିଥିଲେ।

ଭୁବନେଶ୍ୱରସ୍ଥିତ ଏମ୍‌ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର କହିଥିଲେ ଯେ ଏମ୍‌ସରେ ଏମ୍‌ବିବିଏସ୍ ସିଟ୍ ହାସଲ କରୁଥିବା ୪୮ ପ୍ରତିଶତ ଛାତ୍ରଛାତ୍ରୀ ମାନସିକ ଚାପ ବା ଡିପ୍ରେସନ୍‌ରେ ରହୁଛନ୍ତି। ପାଠପଢ଼ାରେ ସଫଳତା ସତ୍ୱେ ସେମାନେ ମାନସିକ ସ୍ତରରେ କଷ୍ଟ ପାଉଛନ୍ତି। ଏହା ଦ୍ୱାରା ତାଙ୍କର ମାନସିକ ସ୍ୱାସ୍ଥ୍ୟ ହାନି ଘଟୁଛି ବୋଲି ସେ କହିଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀଙ୍କର ଗୋଟିଏ ସନ୍ତୁଳିତ କାର୍ଯ୍ୟ ଓ ନିଦ୍ରାର ଜୀବନଚକ୍ର ନାହିଁ। ରାତି ୨ ଟା ଯାଏ ସେମାନେ ଚାହିଁ ରହୁଛନ୍ତି। ସେମାନେ ବିଚକ୍ଷଣ ଛାତ୍ରଛାତ୍ରୀ ହୋଇପାରିଥାନ୍ତି କିନ୍ତୁ ଏକ ଶୃଙ୍ଖଳିତ ଜୀବନ ଜୀଇଁବା ପାଇଁ ସେମାନଙ୍କୁ କେହି କହୁ ନଥିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସ୍କୁଲ୍‌ଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି କେହି ଧ୍ୟାନ ଦେଉନଥିବା ସେ କହିଥିଲେ। ଅଧିକାଂଶ ସ୍କୁଲ୍ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପରୀକ୍ଷାରେ ସଫଳତାର ହାର ଉପରେ ଅଧିକ ଆଗ୍ରହ ଦେଖାଉଥିବା ସେ କହିଛନ୍ତି।

ଜୀବନରେ ସଫଳତା କହିଲେ କେବଳ ଟଙ୍କାକୁ ବୁଝାଏ ନାହିଁ। ଏହା ସ୍ୱାସ୍ଥ୍ୟ ଏବଂ ସୁଖ କିଣିପାରିବ ନାହିଁ। ଛାତ୍ରଛାତ୍ରୀମାନେ ୮ ଘଣ୍ଟା ବିଶ୍ରାମ ନେବା ସହ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଗ୍ରହଣ କରିବାରୁ ନିବୃତ ରୁହନ୍ତୁ ବୋଲି ସେ କହିଛନ୍ତି।  ଏହି ଅବସରରେ ଏନ୍‌ଏସ୍‌ଏସ୍‌ର ଡାଇରେକ୍ଟୋରେଟ୍ ଠାରେ ଅବସ୍ଥାପିତ ଆସିଷ୍ଟାଂଟ ପ୍ରୋଗ୍ରାମ୍‌ ଅଫିସର ଡ. କମଳ କେ. କର ନିଜର ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଡ. ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

Comments are closed.