ଝିଅର ବିବାହ ପରେ , ମଶାଣି ଜୁଇରେ ଜଳିଲା ବାପାର ଚିତା

ରେଢ଼ାଖୋଲ: ହସଖୁସି ଘରେ ଖେଳି ଗଲା ଶୋକର ଛାୟା। ଗୋଟେ ପଟେ ଝିଅ ନୂଆର ସଂସାର ଗଢ଼ିବା ବେଳେ ମା’ର ସୁନାର ସଂସାର ଭାଙ୍ଗି ଯାଇଛି। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗାପାଳର ଗାଁରେ।
ପ୍ରକାଶ ଯେ, ରବିବାର ଗାଁର ଦୁର୍ଯ୍ୟୋଧନ ନାୟକ ଓ ସୁଶୀଳା ନାୟକଙ୍କ ଝିଅର ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ସରିଥିଲା। ତେବେ ବରଯାତ୍ରୀ ଘରେ ପହଞ୍ଚିବା ପୂର୍ବରୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦୁର୍ଯ୍ୟୋଧନ।
ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଦୁର୍ଯ୍ୟୋଧନ ମୃତ୍ୟୁ ବର କରିଥିଲେ । ଅନ୍ୟପକ୍ଷରେ ଦୁର୍ଯ୍ୟୋଧନଙ୍କ ଘରେ ବାହାଘର ପାଇଁ ବରଯାତ୍ରୀ ପହଞ୍ଚି ସାରିଥିଲା। ତେଣୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ତାଙ୍କ ଘରକୁ ଦିଆଯାଇ ନଥିଲା। ବାହାଘର ସରି ଝିଅ ବିଦା ହେବା ପରେ ଘରକୁ ଆସିଥିଲା ଦୁର୍ଯ୍ୟୋଧନଙ୍କ ମୃତଦେହ।
ଦୁର୍ଯ୍ୟୋଧନଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ। ସେପଟେ ଦୁର୍ଯ୍ୟୋଧନଙ୍କ ଶୁଦ୍ଧିକ୍ରିୟା ଶେଷ ହେବାରେ ବିବାହରେ ଝିଅ ପାଇଁ ରଖାଯାଇଥିବା ବାହାଘର ସାମଗ୍ରୀ ଓ ଉପହାର ସବୁ ପଠାଯିବ ବୋଲି ଜଣାପଡ଼ିଛି।