Odisha Link
Bridging the Missing Links in Odisha

ଛତିଶଗଡ଼ ଦଖଲରେ ଓଡ଼ିଶା ପୋଖରୀ, ପାଣି ପାଇଁ ହଇରାଣ ହେଉଛନ୍ତି ଚାଷୀ

ବରଗଡ଼: କୋଟିଆ ପରେ ରାଜ୍ୟରେ ଆହୁରି ଏଭଳି ସ୍ଥାନ ଅଛି ଯାହାକୁ ପଡ଼ୋଶୀ ରାଜ୍ୟ ଦଖଲ କରିବାକୁ କରୁଛି ପ୍ରୟାସ। ଦୀର୍ଘଦିନ ଧରି କୋଟିଆକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟର ଦଖଲ ଉଦ୍ୟମକୁ ନେଇ ସାମ୍ନାକୁ ଆଉ ଏକ ଖବର। ଖାଲି ରାସ୍ତାଘାଟ ନୁହେଁ ଓଡ଼ିଶାର ଏକ ପୋଖରୀକୁ ବି ଛତିଶଗଡ଼ ଲୋକ କବଜା କରିନେଇଥିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତାବିକ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ କୁମ୍ମୋ ପଞ୍ଚାୟତ ଅଧିନସ୍ଥ ସାନସରାଇପାଲି ଗ୍ରାମରେ ଏକ ପୋଖରୀ ଅଛି। ଯାହା ବହୁ ବର୍ଷର ପୁରୁଣା ପୋଖରୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଏହି ପୋଖରୀ ସଂଲଗ୍ନ ୧୩୩ ଏକରରୁ ୫୨ ଏକର ଜମିକୁ ଛତିଶଗଡ଼ ରିସୋଢା, କେନାଡିପା, ବଡେନୁଆଁପରା, ଅମଲିପାଲି,କୋତରା, ଖୟରଗଡ଼ି ଆଦି ଗ୍ରମାର ଚାଷୀ ମାନେ ସେହି ପୋଖରୀକୁ ଜବରଦଖଲ କରି ଚାଷ କରୁଛନ୍ତି। ଏଭଳିକି ପୋଖରୀକୁ ପୋତି ଚାଷ କରୁଛନ୍ତି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ଛତିଶଗଡ଼ିମାନେ ମାଡ୍‌ପିଟ୍‌ କରୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି।

ଏହି ପୋଖରୀ ପାଣିକୁ ଅମ୍ବାଭୋନା ବ୍ଳକର ସାନସରାଇପାଲି, ବିରଜୁପାଲି, ଲାମିପାଲି, ମୁଛମଲଦା, ବଡ଼ଧରା, କୁଟରାପାଲି, କେନ୍ଦୁଝରନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗ ଦ୍ଵାରା ଜମିରେ ଜଳସେଚନ ବ୍ୟବସ୍ଥା ରହିଛି । ପୋଖରୀ ଉପରେ ୧୨ଟି ଗ୍ରାମର ଚାଷୀ ନିର୍ଭର କରିଥାନ୍ତି। ଏଠାରୁ ୫୦୦ ଏକର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। କିନ୍ତୁ ଛତିଶଗଡ଼ର ଚାଷୀ ଜବରଦସ୍ତ ପମ୍ପରେ ପାଣି ଉଠାଇ ପୋଖରୀକୁ ଶୁଖାଇ ଦେଉଛନ୍ତି। ଫଳରେ ଓଡ଼ିଶା ପଟେ ହଜାର ହଜାର ଏକର ରବି ଫସଲରେ ପାଣି ଅଭାବ ଦେଖା ଦେଉଛି।

ଏହି ସମସ୍ୟା ନେଇ ସୀମାନ୍ତବର୍ତ୍ତୀ ଗ୍ରାମର ଚାଷୀ ବିଗତ ୨୦୧୩ ଜୁଲାଇ ୮ତାରିଖ ଛତିଶଗଡ଼ର ରାୟଗଡ଼ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ। ତେଣୁ ପୋଖରୀରୁ ଅଧିକ ପାଣି ଛତିଶଗଡ଼ ଚାଷୀଙ୍କ କ୍ଷେତକୁ ଯାଉଛି । ଏ ସଂପର୍କରେ ବରଗଡ଼ ଜିଲ୍ଲାପାଳଙ୍କୁ କୁମ୍ମୋ ପଞ୍ଚାୟତବାସୀ ଲିଖିତ ଅଭିଯୋଗ କରିଥିଲେ ହେଁ କିଛି ପଦକ୍ଷେପ ନହେବାରୁ ଚା‌ଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.